ପାକିସ୍ତାନ ସହ କ୍ରିକେଟ ଖେଳକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅସଦୁଦ୍ଦୀନ ଓୱେସୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସେନାର ୩ ଯବାନ ଶହୀଦ ହେବାପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ତମାମ ବିରୋଧୀ କେନ୍ଦ୍ର ସରକାରଙ୍କ ବିଫଳତା ପାଇଁ ଏପରି ଘଟଣା ଘଟୁଥିବା କହିଛନ୍ତି । ସେହିପରି ପାକିସ୍ତାନକୁ ମୁଁହତୋଡ଼ ଜବାବ ଦେବା ପାଇଁ ଦାବି କରିଛନ୍ତି । ଏମିତି କି କିଛି ନେତା ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ନଖେଳିବା ପାଇଁ ମଧ୍ୟ କହିଛନ୍ତି । ଏହି କ୍ରମରେ ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦୀନ ଓୱେସୀ ପାକିସ୍ତାନ ସହ କ୍ରିକେଟ ଖେଳିବା ଉପରେ ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଭାରତର ଯବାନମାନଙ୍କ ସହ ତାଙ୍କ ଜୀବନର ଖେଳ ଖେଳାଯାଉଛି । ପାକିସ୍ତାନ ସହ ଭାରତୀୟ ଦଳ କ୍ରିକେଟ ଖେଳୁଛି । ସେମାନେ ଆମ ଲୋକଙ୍କ ଜୀବନ ନେଉଛନ୍ତି । ଗୁଳିରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରାଯାଉଛି । ପ୍ରଥମେ ଏହି ଖେଳକୁ ସମାପ୍ତ କରିଦେବାର ଆବଶ୍ୟକତା ରହିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେ କାହିଁକି ଚୁପ୍ ବସିଛନ୍ତି । ଓୱେସୀ ସରକାରଙ୍କ କାଶ୍ମୀର ପଲିସିକୁ ବିଫଳ ବୋଲି କହିଛନ୍ତି । ଓୱେସୀ କହିଛନ୍ତି, ପାକିସ୍ତାନ ଭାରତୀୟ ସୈନିକଙ୍କ ଜୀବନ ସହ ଖେଳ ଖେଳୁଛି । ରାଜୌରୀରେ ଗୁଳିର କ୍ରିକେଟ ମ୍ୟାଚ୍ ଚାଲିଛି ।

ଆମ ଲୋକ ମୃତ୍ୟୁବରଣ କରୁଛି । କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି । କ୍ରିକେଟ ମ୍ୟାଚ୍ ପୂର୍ବରୁ ଏହି ଖେଳକୁ ସମାପ୍ତ କରାଯିବ ଆବଶ୍ୟକ । ଯଦି ବିଜେପି କ୍ଷମତାରେ ନଥାନ୍ତା ତେବେ କଣ କହିଥାନ୍ତା? ଆପଣ କ୍ଷମତାରେ ଅଛନ୍ତି ପ୍ରଥମେ ଏହି ଗୁଳିମାଡ଼ର ଖେଳକୁ ବନ୍ଦ କରନ୍ତୁ । ସେ ଆଗକୁ କହିଛନ୍ତି, ପାକିସ୍ତାନରୁ ଆସି ଆତଙ୍କୀ ଆମ ଯବାନ ମାନଙ୍କୁ ମାରୁଛନ୍ତି । ଏହାଉପରେ ସରକାର ନିରବ କାହିଁକି ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରଶ୍ନ ଯେ ପୁଲୱାମା ଯେବେ ହୋଇଥିଲା ସେ କ୍ରୋଧ ଦେଖାଇଥିଲେ । ହେଲେ ଏହାପରେ ଏବେ କର୍ଣ୍ଣଲ, ଡେପୁଟି ଏସପି ଶହୀଦ ହୋଇଛନ୍ତି । ଏବେ ସେ କ୍ରୋଧ କାହିଁକି ଦେଖାଉ ନାହିନ୍ତି । ପ୍ରଧାନମନ୍ତ୍ରୀ ମୋଦି କାହିଁକି ମଉନବ୍ରତ ଧାରଣ କରିଛନ୍ତି ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି ।