୩ ମାସ ମଧ୍ୟରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ! ୩ ବର୍ଷରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ପଡ଼ିବାକୁ ଯାଉଛି ମେଟ୍ରୋ ଟ୍ରେନର ମୂଳଦୁଆ । ରାଜଧାନୀରେ ମେଟ୍ରୋ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ୩ ମାସ ମଧ୍ୟରେ ରାଜଧାନୀରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳାନ୍ୟାସର ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୫ କିଲୋମିଟର ପାଇଁ ୪୫୦ଟି ଖମ୍ବ ଛିଡ଼ା କରାଯିବ । ଏଥିପାଇଁ ୮ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ୧ କିଲୋମିଟର ମେଟ୍ରୋ ପଥ ନିର୍ମାଣ  ପାଇଁ ୨୫୦ କୋଟିରୁ ୩ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆକଳନ କରାଯାଇଛି । ପ୍ରତି ୪୭ରୁ ୫୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପିଲାର ନିର୍ମାଣ ହେବ । ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୭ରୁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ ।

ବିମାନ ବନ୍ଦରରୁ ତ୍ରିଶୁଳିଆ ମେଟ୍ରୋ ଚଳାଚଳ ପରେ ଭୁବନେଶ୍ୱର ସହରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଶାଖା ମେଟ୍ରୋ ପଥ ଆସି ସଂଯୋଗ ହେବ । ଏହାବାଦ୍ ପୁରୀ ଓ ଖୋର୍ଦ୍ଧାକୁ ମଧ୍ୟ ଲମ୍ବିବ ମେଟ୍ରୋ । ଏହି ସବୁକୁ ମିଶାଇଲେ ପୂରା ମେଟ୍ରୋ ପ୍ରକଳ୍ପର ବ୍ୟୟ ବରାଦ ପ୍ରାୟ ୧୫ ହଜାର କୋଟି ଟଙ୍କା ଛୁଇଁଯିବ । ରାଜ୍ୟ ସରକାର ଏହି ସମସ୍ତ ଖର୍ଚ୍ଚ ନିଜସ୍ୱ ପାଣ୍ଠିରୁ ବହନ କରିବେ ।

ପ୍ରସ୍ତାବିତ ମେଟ୍ରୋ ପାଇଁ ଡିପିଆର କାର୍ଯ୍ୟ ଏକ ଆନ୍ତର୍ଜାତିକ ସଂସ୍ଥାକୁ ଦିଆଯାଇଛି । ଡିପିଆର ଦାୟିତ୍ୱ ନେଇଥିବା ଏହି କମ୍ପାନୀ ଭାରତ ସମେତ ୨୪ଟି ଦେଶର ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ୍ ଚଳାଇବା କାମର ଅଭିଜ୍ଞତା ରହିଛି । ଡିପିଆର ପ୍ରସ୍ତୁତି ସରିବା ପରେ ଗ୍ଲୋବାଲ ଟେଣ୍ଡର ଡକାଯିବ । ସମ୍ଭବତଃ ଏହି ପ୍ରକଳ୍ପର କାମ ପାଇଁ ଜାପାନର ବୈଷୟିକ ସହାୟତା ନେଇପାରେ ଓଡ଼ିଶା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି । ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ଟ୍ୱିନ୍ ସିଟିରେ ମେଟ୍ରୋ ପ୍ରକଳ୍ପ ନେଇ ବିଶେଷଜ୍ଞ ସଂସ୍ଥା କିମ୍ବା ଜାପାନ ସରକାରଙ୍କ ସହ ଆଲୋଚନା କରିପାରନ୍ତି ।