ଏମ୍ସରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବିପକ୍ଷ ଦଳ ନେତାଙ୍କୁ ଛାଡ଼ିଲାନି ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା। ତାଙ୍କ ପରିବାରକୁ ସାନ୍ତ୍ଵନା ଦେବାକୁ ଯାଇଥିବା ବେଳେ ବିଜେଡି ନେତାଙ୍କୁ ଅଟକାଇଥିଲା ପୋଲିସ  । କିନ୍ତୁ ବିଜେପି ବିଧାୟକ ବାବୁ ସିଂ ଓ ବିଜେପି ନେତାମାନଙ୍କୁ ସୁରକ୍ଷା ଭିତରେ ବର୍ନ ବିଭାଗ ଭିତରକୁ ଖୋଦ୍ ଡିସିପି ନେଇଥିଲେ। ଏହାକୁ ନେଇ ଉଠିଛି ବିବାଦ। ବିଜେଡି, କଂଗ୍ରେସ ଓ ନବନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିଛନ୍ତି। ବିଜେଡିର ପ୍ରଶ୍ନ, ବିଜେପି ନେତାଙ୍କୁ ଭିତରକୁ ନିଆଯାଉଛି । ହେଲେ ବିରୋଧୀ ଦଳର ନେତଙ୍କୁ କାହିଁକି ଅଟକାଉଛି ପୋଲିସ । ପ୍ରତିବାଦରେ ବର୍ଣ୍ଣ ବିଭାଗ ସମ୍ମୁଖରେ ଧାରଣା ଦେଇ ନାରାବାଜି କରିଛି ବିଜେଡି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତି ସିଂହାର ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ କଟାକ୍ଷ କରିଛନ୍ତି, ବିଜେପି ନେତାଙ୍କ ଦେହରେ ଏମିତି କଣ ମଲମ ଲାଗିଛି ଯେ, ସେମାନେ ଭିତରକୁ ଗଲେ ଇନଫେକ୍ସନ ହେବନି। କିନ୍ତୁ ବିଜେଡି ଗଲେ ଇନଫେକ୍ସନ ହେବ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିରୋଧ କରିବା ଛଡ଼ା ବିରୋଧୀଙ୍କ ଆଉ କିଛି କାମ ନାହିଁ ।