ଓଡ଼ିଶାରେ AIFF-FIFA ଟ୍ୟାଲେଣ୍ଟ ଏକାଡେମୀ, ତୃଣମୂଳ ସ୍ତରରୁ ଚୟନ ହେବେ ଖେଳାଳୀ

1 min read

ଭୁବନେଶ୍ବର: ଫିଫା ବିଶ୍ବକପ କ୍ବାଲିଫାଇ ପୂର୍ବରୁ AIFF ଫିପା ଟ୍ୟାଲେଣ୍ଟ ଏକାଡେମୀ, ଓଡିଶା ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ମଧ୍ୟରେ mou ସ୍ବାକ୍ଷର ହୋଇଛି । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରି ସ୍ବତନ୍ତ୍ର ଭାବେ ଏକାଡେମୀରେ ତାଲିମ ଦିଆଯିବ । ଆଜି ଏହାକୁ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଅପରେସନ ଓ୍ବିଙ୍ଗର ଏଆଇଏଫଏଫର ସଭାପତି କଲ୍ୟାଣ ଚୋବେ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ଉପସ୍ଥିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶେଷ କରି ରାଜ୍ୟରେ ଥିବା ଜୁନିୟର ଖେଳାଳିଙ୍କୁ AIFF FIFA ଟ୍ୟାଲେଣ୍ଟ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ । ଫିଫା ମୁଖ୍ୟଙ୍କ କହିବା ଅନୁସାରେ ଭାରତୀୟ ଖେଳାଳିଙ୍କ ପାଖରେ ଟ୍ୟାଲେଣ୍ଟ ଅଛି । ହେଲେ ସେମାନେ କେବେ ବିଶ୍ବକପ ଫୁଟବଲ ଖେଳିବେ କହିହେବନି, ମାତ୍ର ଏହି ଏକାଡେମୀ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳିଙ୍କୁ ଭାରତୀୟ ଟିମରେ ସାମିଲ କରିବ ।

ଭାରତୀୟ ଫୁଟବଲ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ବରରେ କ୍ରୀଡା ଭିତ୍ତିଭୂମି ରହିଛି । ଏହା ଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡିଶା ଏଥିପାଇଁ ପ୍ରଥମ ପସନ୍ଦର ସ୍ଥାନ । ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନି ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ କରିଛନ୍ତି । AIFF FIFA ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ବର ସପ୍ତମ ବାଟାଲିଆନ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ୧୭ ବର୍ଷରୁ କମ ବୟସର ଖେଳାଳିଙ୍କୁ ଚୟନ କରାଯିବ।