ଜେଲରେ ୬୩ ଜଣ କଏଦୀ ଏଡସ ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ:  ଉତ୍ତରପ୍ରଦେଶ ଲକ୍ଷ୍ନୌ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଲକ୍ଷ୍ମୌ ଜିଲ୍ଲା ଜେଲରୁ ୬୩ ଜଣ କଏଦୀ ଏଚଆଇଭି ସଂକ୍ରମିତ ବା ଏଡସରେ ପୀଡିତ ଥିବା ଜଣାପଡ଼ିଛି। ଲକ୍ଷ୍ମୌ ଜିଲ୍ଲା ଜେଲର ଅଧ୍ୟକ୍ଷକ ଆଶିଷ ତିୱାରୀଙ୍କ ସୂଚନା ଅନୁସାରେ, ଜେଲକୁ ଯେଉଁ କଏଦୀମାନେ ନୂଆ ଆସିଥାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷା ମଧ୍ୟରେ ଏଚଆଇଭି ପରୀକ୍ଷା ବି କରାଯାଇଥାଏ। ଯାହାର ଟେଷ୍ଟିଂ କିଟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଉପଲବ୍ଧ କରାଯାଇଥାଏ।କିନ୍ତୁ ୨୦୨୩ ଅଗଷ୍ଟ ପରେ ଟେଷ୍ଟିଂ କିଟ ଶେଷ ହୋଇଯାଇଥିଲା।  ଯେଉଁ କାରଣରୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଜେଲକୁ ଆସିଥିବା

ନୂଆ କଏଦୀଙ୍କ ଏଚଆଇଭି ପରୀକ୍ଷା ହୋଇ ପାରି ନଥିଲା। ଏହାପରେ ଡିସେମ୍ବର ମାସ‌ରେ ବଡ଼ କ୍ୟାମ୍ପର ଆୟୋଜନ କରାଯାଇ କଏଦୀଙ୍କ ଏଚଆଇଭି ପରୀକ୍ଷା କରାଯାଇଥିଲା।  ଏଥିରେ ଲକ୍ଷ୍ମୌ ଜେଲର ୩୬ଜଣ କଏଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ପରେ ଆଉ ୨୭ ଜଣ ପଜିଟଭ୍ ଥିବା ଜଣାପଡ଼ିଲା। ଏମିତି ମୋଟ୍ ୬୩ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଚଆଇଭି ସଂକ୍ରମିତ ଚିହ୍ନଟ କଏଦୀଙ୍କ ମଧ୍ୟରୁ ଅଧିକାଂଶ କଏଦୀ  ନିଶା ଓ ସିରିଞ୍ଜ ମାଧ୍ୟମରେ ନିଶା କରୁଥିବା ଜଣାପଡ଼ିଛି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କ ତୁରନ୍ତ ଚିକିତ୍ସା କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି।