ପିସିସି ସଭାପତି ନାଁ ଘୋଷଣା ପୂର୍ବରୁ ଷ୍ଟିୟରିଂ କମିଟି ଗଠନ କରିବ ଏଆଇସିସି

ଭୁବନେଶ୍ବର: ଘୁଞ୍ଚିଲା ପିସିସି ସଭାପତି ଚୟନ ପ୍ରକ୍ରିୟା । ଓଡ଼ିଶାର ପିସିସି ସଭାପତିଙ୍କ ନାଁ ଘୋଷଣା ପୂର୍ବରୁ ଷ୍ଟିୟରିଂ କମିଟି ଗଠନ କରିବ ଏଆଇସିସି । ଏହାପରେ ଷ୍ଟିୟରିଂ କମିଟି ଚୟନ କରିବ କିଏ ହେବ ପରବର୍ତ୍ତୀ ପିସିସି ସଭାପତି । ପିସିସି କମିଟି ଗଠନ ପୂର୍ବରୁ କାହିଁକି କମିଟିକୁ ଭାଙ୍ଗି ଦିଆଗଲା ତାହାକୁ ନେଇ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟ ମୁଖିଆ ବାଛିବାକୁ ନେଇ ଏଆଇସିସିର ନୂଆ ତାରିକା । ସିଧାସଳଖ ନୁହେଁ, ଏଣିକି କମିଟି ଜରିଆରେ ବଛା ଯିବେ ନେତା । ଖୁବଶୀଘ୍ର ଏଆଇସିସି ଓଡ଼ିଶା ପାଇଁ ଗଠନ କରିବ ଷ୍ଟିୟରିଂ କମିଟି । ଏହି ଷ୍ଟିୟରିଂ କମିଟି ତୃଣମୂଳସ୍ତରରୁ ପିସିସି ଯାଏଁ ନୂଆ ସଭାପତି ନଆସିବା ଯାଏଁ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଦାୟିତ୍ବରେ ରହିବ । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଦିଲ୍ଲୀରୁ ଫେରି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ । ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏଆଇସିସି ଓଡ଼ିଶା କଂଗ୍ରେସକୁ ଫୋକସ କରିଛି । ଖୁବଶୀଘ୍ର ସମସ୍ତଙ୍କୁ ନେଇ ଚାଲିପାରୁଥିବା ଜଣେ ନେତାଙ୍କୁ ପିସିସି ସଭାପତି ଦାୟିତ୍ବ ଦେବ । ତେବେ ପିସିସି ସଭାପତି ନଥିଲେ ମଧ୍ୟ କଂଗ୍ରେସ ତାର କାର୍ଯ୍ୟକ୍ରମ ଜାରି ରଖବ ବୋଲି ଜୟଦେବ କହିଛନ୍ତି ।

ଜୁଲାଇ ୨୧ ତାରିଖରେ ଏଆଇସିସି ଓଡ଼ିଶାର ପିସିସି କମିଟି ସହ ସବୁ କମିଟିକୁ ଭାଙ୍ଗି ଦେଇଛନ୍ତି । ପାଖାପାଖି ମାସେ ହେବ କଂଗ୍ରେସ ସଂଗଠନ ରାଜ୍ୟରେ ନିଷ୍କ୍ରିୟ ହୋଇଯାଇଛି । ପ୍ରଥମ ଥର ପାଇଁ ରାଜ୍ୟ କଂଗ୍ରେସରେ ଏପରି ସାଂଗଠନିକ ବ୍ୟତିକ୍ରମ ଦେଖାଦେଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । ପିସିସି ସଭାପତି ଚୟନ ନେଇ ବିଧାୟକମାନଙ୍କ ସହ ହାଇକମାଣ୍ଡ କୌଣସି ଆଲୋଚନା କରିନାହାନ୍ତି ବୋଲି ସେ କହିଛନ୍ତି ।

୨୪ ବର୍ଷରେ କଂଗ୍ରେସ ୬ ଜଣ ପିସିସି ସଭାପତି ପାଇଛି । ହେଲ ଦଳର ଭାଗ୍ୟ କିନ୍ତୁ ପରିବର୍ତ୍ତନ ହୋଇପାରିନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ହାଇକମାଣ୍ଡ । କାହାକୁ ଦାୟିତ୍ବ ଦେବେ ସେ ନେଇ ଚାଲିଛି ନନଷ୍ଟପ କସରତ ।