ଅସଜଡା କଂଗ୍ରେସକୁ ସଜାଡ଼ିବ ଏଆଇସିସି: ଦିଲ୍ଲୀ ବାଛିବ ଜିଲ୍ଲା ସଭାପତି, ସେପ୍ଟେମ୍ବର ୨ରୁ ସଙ୍ଗଠନ ସୃଜନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ସଜାଡ଼ିବେ ବାହାର ରାଜ୍ୟର ନେତା । ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ତୃଣମୂଳସ୍ତରୁ ଖୋଜି ସାମ୍ନାକୁ ଆଣିବ ଦଳ । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ ଗାନ୍ଧି । ଯାହାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କଂଗ୍ରେସ ଶିବିର । ଏଭଳି ସ୍ଥିତିରେ କଂଗ୍ରେସର ସ୍ବପ୍ନ କେତେ ଦୂର ଫଳପ୍ରଦ ହେଉଛି, ତାକୁ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।
ଅସଜଡା କଂଗ୍ରେସକୁ ସଜାଡିବ ଏଆଇସିସି । ଓଡିଶା କଂଗ୍ରେସରେ ମୂଳପୋଛ ହେବ ଗୋଷ୍ଠୀ । ବ୍ୟକ୍ତି ନୁହେଁ, ଦଳ ବଡ ହେବ ସଙ୍ଗଠନର ମୂଳମନ୍ତ୍ର । ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ସଶକ୍ତ କରିବାକୁ ସେପ୍ଟେମ୍ବର ୨ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ସଙ୍ଗଠନ ସୃଜନ । ୩୫ଟି ସାଙ୍ଗଠନିକ ଜିଲ୍ଲାକୁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ଗସ୍ତ କରିବେ । ବ୍ଲକ ଓ ଜିଲ୍ଲାସ୍ତରରେ ନେତା ଓ କର୍ମୀଙ୍କ ସହ ଦଳୀୟ ସଙ୍ଗଠନ ବାବଦରେ ଆଲୋଚନା କରିବେ । ତୃଣମୂଳ ସ୍ତରରେ କଂଗ୍ରେସ କିପରି ମଜବୁତ ହେବ, ସେନେଇ ବୃଦ୍ଧିଜୀବୀ, ସାଧାରଣ ଜନତା, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଗ୍ରହଣ କରିବ ଦଳ । ତୃଣମୂଳସ୍ତରେ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ସଂଗଠନ ସୃଜନ ଜରିଆରେ ସାମ୍ନାକୁ ଆଣି ଜିଲ୍ଲା ସଭାପତିର ଗୁରୁଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି ଏଆଇସିସି । ପର୍ଯ୍ୟବେକ୍ଷକମାନେ ଯାହା ନାଁ ଜିଲ୍ଲା ସଭାପତି ଭାବେ ସୁପାରିଶ କରିବେ, ତାହା ଉପରେ ଏଆଇସିସି ମୋହର ମାରିବ । ପିସିସି ସଭାପତିଙ୍କ କହିବା କଥା, ଓଡ଼ିଶା କଂଗ୍ରେସକୁ ଏବେ ଏଆଇସିସି ଫୋକସ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଆଉ ଲବି କି ଗୋଷ୍ଠୀ ନୁହେଁ, ଯିଏ କାମ କରିବ ତାକୁ ଦାୟିତ୍ବ ଦିଆଯିବ ।
୨୦୨୪ ନିର୍ବାଚନରେ ଶାସନର ପଟ ପରିବର୍ତ୍ତନ ପରେ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛି ଏଆଇସିସି । ୨୫ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ପୁଣି ଥରେ କିପରି କ୍ଷମତାକୁ ଫେରିବ, ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ନେତା ଏକଜୁଟ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେହିପରି ରାହୁଲ ଗାନ୍ଧି ରାଜ୍ୟ କଂଗ୍ରେସର ନେତାଙ୍କ ମନରେ ଜୋସ ଭରିବା ସହ ସଙ୍ଗଠନ ସଜାଡିବା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଜିଲ୍ଲା ସଭାପତିଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ରାହୁଲଙ୍କ ସଂଗଠନ ସୃଜନ ଓଡ଼ିଶା କଂଗ୍ରେସକୁ ତୃଣମୂଳ ସ୍ତରରେ ନୂଆ ରୂପ ଦେବ ବୋଲି ଆଶା ବାନ୍ଧିଛନ୍ତି ଦଳୀୟ ନେତା ।