ଆଜି ଏଆଇସିସି ସଭାପତି ନିର୍ବାଚନ: ଥରୁର ଓ ଖଡଗେଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଜି ଏଆଇସିସି ସଭାପତି ନିର୍ବାଚନ । ସବୁ ରାଜ୍ୟରେ ମତଦାନ କରିବେ କଂଗ୍ରେସ ଡେଲିଗେଟ୍ସ । ୧୯ ତାରିଖରେ ଭୋଟ ଗଣତି ହେବ । ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟରେ ଟକ୍କର । ଉଭୟ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ ଲାଗି ନିବେଦନ କରିଛନ୍ତି । ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସମର୍ଥନ କରୁଛନ୍ତି ।

ଥରୁର ଯୁବ ନେତାଙ୍କ ଭୋଟରେ ଜିତିବେ ବୋଲି ଆଶା ବାନ୍ଧିଛନ୍ତି । ଭୋଟ ପାଇଁ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଲଟ ପେପରରେ ଦୁଇ ପ୍ରାର୍ଥୀଙ୍କ ନା ରହିବ । ଯାହାକୁ ଭୋଟ ଦେବାକୁ ଚାହିଁବେ ନାଁ ପାଖରେ ଠିକ୍‌ ଚିହ୍ନ ମାରିବେ । ଅନ୍ୟ କୌଣସି ଚିହ୍ନ ବା ନମ୍ବର ଲେଖିଲେ ଭୋଟ୍‌ ନାକଚ ହେବ ବୋଲି ସୂଚନା ଦିଆଯାଇଛି । ନିର୍ବାଚନ ପାଇଁ ସୋନିଆ ଗାନ୍ଧି ଗତକାଲି ଦିଲ୍ଲୀ ଫେରିଛନ୍ତି ।

ନିର୍ବାଚନରେ ସେ କାହାକୁ ସମର୍ଥନ କରିବେ ତାହା ଜଣାପଡିନାହିଁ । କଂଗ୍ରେସ ପାର୍ଟିର ଇତିହାସରେ ଷଷ୍ଠ ଥର ସଭାପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୨୪ ବର୍ଷ ପରେ ଗାନ୍ଧି ପରିବାର ବାହାରୁ ଅନ୍ୟ ଜଣେ ଦଳର ସଭାପତି ହେବାକୁ ଯାଉଛନ୍ତି । ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ରାଜ୍ୟରୁ ରାଜ୍ୟ ବୁଲି ଡେଲିଗେଟସ୍ଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି ।

୯ ହଜାରରୁ ଅଧିକ ଡେଲିଗେଟସ୍ କଂଗ୍ରେସର ଆଗାମୀ ସଭାପତିଙ୍କୁ ଚୟନ କରିବେ । ଓଡ଼ିଶାରେ ବି ଦଳର ନିର୍ବାଚନ ହେବ । ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ ।

ଓଡ଼ିଶା କଂଗ୍ରେସରୁ ୪୨୭ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତଦାନ କରିବେ । ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଛନ୍ତି । ଶଶୀ ଥରୁର ଓଡ଼ିଶା ଆସି ନଥିଲେ ବି ସୋସିଆଲ ମିଡ଼ିଆରେ ସମର୍ଥନ ମାଗିଥିଲେ ।