spot_img

Latest Posts

ଓଡ଼ିଶା କଂଗ୍ରେସକୁ ନୂଆ ଦିଗ ଦେବ ୧୪ ଜଣିଆ ଷ୍ଟିଅରିଂ କମିଟି

ଭୁବନେଶ୍ବର: ମୁଁ ନୁହେଁ, ଆମେ । ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି । ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ । ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ହାଇକମାଣ୍ଡଙ୍କ ଏପରି ନିଷ୍ପତ୍ତିକୁ ନେଇ ଦଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ସହ ଏହି କମିଟି ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି । ଆସନ୍ତା ୨୧ ତାରିଖରେ ବିନା ପିସିସି ସଭାପତିରେ ବସିବ ପ୍ରଥମ ବୈଠକ । ଏବେ ଏହି ୧୪ ଜଣ ମୋଡ଼ିବେ ଓଡ଼ିଶା ‘ହାତ’ର ଷ୍ଟିଅରିଂ । ତୃଣମୂଳସ୍ତରରୁ ପିସିସି ଯାଏଁ ହାତ ଶିବିରକୁ କରିବେ ଚଳଚଞ୍ଚଳ ।

ଆସନ୍ତା  ୨୧ ତାରିଖରେ କମିଟିର ପ୍ରଥମ ବୈଠକ ବସିବାକୁ ଥିବାବେଳେ ବିନା ପିସିସି ସଭାପତିରେ ଚାଲିବ ରାଜ୍ୟ କଂଗ୍ରେସ । ସମସ୍ତଙ୍କ ମିଳିତ ନେତୃତ୍ବରେ ଆଗକୁ ଗଡ଼ିବ ଓଡ଼ିଶା କଂଗ୍ରେସ ରଥ । ଜୁଲାଇ ୨୧ ତାରିଖରେ ପିସିସିର ସବୁ କମିଟି ଭାଙ୍ଗି ଏଆଇସିସି ବହୁ ତର୍ଜମା କରି ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କମିଟି ଅଧ୍ୟକ୍ଷ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଜୟଦେବ ଜେନା,  ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ ନେତା ମହମ୍ମଦ ମୋକିମ, ଭକ୍ତ ଦାସ, ଦେବାଶିଷ ପଟ୍ଟନାୟକ, ବିଶ୍ବ ରଞ୍ଜନ ମହାନ୍ତି, ସସ୍ମିତା ବେହେରା, ଅନନ୍ତ ସେଠୀ, ବଳଭଦ୍ର ମାଝୀ ପ୍ରମୁଖ ଏହି କମିଟିରେ ସ୍ଥାନ ପାଇଛନ୍ତି । ବୈଠକରେ ଷ୍ଟିଅରିଂ କମିଟିର କାମ କ’ଣ ରହିବ ତାହା ସ୍ଥିର କରାଯାଇ ଆଗାମୀ ଦିନରେ ପରବର୍ତ୍ତୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ।

ଓଡ଼ିଶା କଂଗ୍ରେସ ଇତିହାସରେ ଏଆଇସିସି ପ୍ରଥମ ଥର ଲାଗି ଏପରି ବଡ଼ ନିଷ୍ପତ୍ତି ନେଇଛି । ସବୁ କମିଟି ଭାଙ୍ଗିବା ସହ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦିଆଯାଉଛି । ପ୍ରଥମେ ଛାତ୍ର ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଉଦିତ ନାରାୟଣ ପ୍ରଧାନଙ୍କୁ ଛାତ୍ର କଂଗ୍ରେସର ଦାୟିତ୍ବ ଦିଆଯିବା ସହ ଏବେ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ତରବରିଆ ନୁହେଁ, ଆଗକୁ ପିସିସି ସହ ତୃଣମୂଳ କମିଟିଗୁଡିକୁ ସଂପୂର୍ଣ୍ଣ ବିଚାର ବିମର୍ଶ କରି ଗଠନ କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଏହାସହ ଆସନ୍ତା ୨୨ ତାରିଖରେ ୧୪ ଜଣିଆ ଷ୍ଟିଅରିଂ କମିଟି ଓଡ଼ିଶାରେ ଇଡି ଅଫିସ ଘେରାଉ କରି ପ୍ରଥମ ଶକ୍ତି ପ୍ରଦର୍ଶନ କରିବ ।

ଷ୍ଟିଅରିଂ କମିଟିରେ କିନ୍ତୁ ସ୍ଥାନ ପାଇନାହାନ୍ତି କଂଗ୍ରେସର ୩ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ । ସେହିପରି ତାଲିକାରେ ନାହାଁନ୍ତି ଚର୍ଚ୍ଚିତ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଯାହାକୁ ନେଇ କଂଗ୍ରେସରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

Latest Posts

Don't Miss