ଓଡ଼ିଶା କଂଗ୍ରେସର ମାନସ ମନ୍ଥନ: କାହାକୁ ନେତୃତ୍ୱ ଦେଲେ ଦଳ ଶକ୍ତିଶାଳୀ ହେବ

1 min read

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ଏଆଇସିସି । ତୃଣମୂଳସ୍ତରରୁ ରାଜ୍ୟ ନେତୃତ୍ୱ ଯାଏଁ କେଉଁ ଭୁଲ ପାଇଁ କଂଗ୍ରେସ ୨୨ ବର୍ଷ ଧରି  ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନାହିଁ ? ଏନେଇ ରାଜ୍ୟ କଂଗ୍ରେସ ମାନସମନ୍ଥନ କରିଛି । ରାଜ୍ୟରେ ରସାତଳକୁ ଚାଲିଯାଇଥିବା କଂଗ୍ରେସକୁ ପୁଣି ସକ୍ରିୟ କରିବା ପାଇଁ ପ୍ରଭାରୀ, ସହ- ପ୍ରଭାରୀ ଓ ପୂର୍ବତନ ପ୍ରଭାରୀଙ୍କୁ ହାଇକମାଣ୍ଡ ଦାୟିତ୍ୱ ଦେଇଛନ୍ତି । ପୂର୍ବତନ ପ୍ରଭାରୀ ବି.କେ ହରିପ୍ରାସଦଙ୍କ ଓଡ଼ିଶା ଗସ୍ତ ପରେ ଦଳରେ ହଲଚଲ ସୃଷ୍ଟି ହୋଇଛି  । ଦଳ ଭିତରେ ଆରମ୍ଭ ହୋଇଛି ସାଂଗଠନିକ ପରିବର୍ତ୍ତନର ସ୍ୱର ।

କିଏ ଦେବେ ରାଜ୍ୟ କଂଗ୍ରେସକୁ ସଞ୍ଜୀବନୀ ? କ’ଣ କଲେ ଦଳ ପୁଣି ରାଜ୍ୟରେ ସ୍ଥିତି ଜାହିର କରିବ? କାହାକୁ  ନେତୃତ୍ୱ ଦେଲେ ଓଡ଼ିଶାରେ କଂଗ୍ରେସ ଶକ୍ତିଶାଳୀ ହେବ?… ଏପରି ଅନେକ ପ୍ରଶ୍ନ ନେଇ ଦଳ ଭିତରେ ଆରମ୍ଭ ହୋଇଛି ମାନସମନ୍ଥନ । କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଦଳର କେନ୍ଦ୍ରୀୟ ନେତା ଓଡ଼ିଶା ଆସିଛନ୍ତି । ରୁଦ୍ଧଦ୍ୱାର  ବୈଠକ କରି ରାଜ୍ୟ କଂଗ୍ରେସର ବରିଷ୍ଠ, କନିଷ୍ଠ ଓ ଛାମୁଆ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ।  ପୂର୍ବତନ ପିସିସି ପ୍ରଭାରୀ ବି. କେ ହରିପ୍ରସାଦଙ୍କ ଓଡ଼ିଶା ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ଦେଶ ଓ ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ ହେବା ପରେ ଏହା ପୁନର୍ଗଠନ ପ୍ରକ୍ରିୟା ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି  । ଆଗକୁ ବିଭିନ୍ନ ପ୍ରସଙ୍ଗରେ କ୍ୟାମ୍ପେନ ମୋଡ୍‌କୁ ଗଲେ ଦଳ ଚଳଚଞ୍ଚଳ ହୋଇପାରିବ ବୋଲି ସେ କହିଛନ୍ତି ।

ଦିନକୁ ଦିନ ରାଜ୍ୟରେ କଂଗ୍ରେସ ସଂଗଠନ ରସାତଳକୁ ଯିବା ନେଇ ନେତୃତ୍ୱ ଉପରେ ଅଙ୍ଗୁଳି ଉଠାଇଛନ୍ତି ଏଆଇସିସି ସଦସ୍ୟ ତଥା ପୂର୍ବତନ ପିସିସି ସଭାପତି । ନେତୃତ୍ୱ  ଅଭାବରୁ କଂଗ୍ରେସକୁ ଲୋକ ପ୍ରତ୍ୟାଖ୍ୟାନ କରୁଥିବା କହିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ସଂଗଠନ ନେଇ ହାଇକମାଣ୍ଡଙ୍କୁ ମତାମତ ଦେବାକୁ ସେ ଆଗ୍ରହୀ ବୋଲି କହିଛନ୍ତି । ତେବେ ପିସିସି ସଭାପତିଙ୍କ ଇସ୍ତଫା ପ୍ରସଙ୍ଗ ଚର୍ଚ୍ଚାକୁ ଶରତ ରାଉତ କଟାକ୍ଷ କରିଛନ୍ତି । ସେପଟେ ସଂଗଠନ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି  ।

୨୦୧୪ରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ୨୦୧୯ ବିଧାନସଭା ନିର୍ବାଚନରେ ଦୁଇଅଙ୍କ ଛୁଇଁ ପାରିଲାନାହିଁ । ବିରୋଧୀ ଦଳର ମର୍ଯ୍ୟାଦା ହରାଇଲା । ସବୁ ନିର୍ବାଚନରେ ଦଳ ଶୋଚନୀୟ ପରାଜିତ ହେବା ସହ ଭୋଟ ହାର ବି କମୁଛି । ଏଥିଲାଗି ଦୁର୍ବଳ ନେତୃତ୍ୱକୁ ଦାୟୀ କରି ଦଳର ଅନେକ ଗୋଷ୍ଠୀ କେନ୍ଦ୍ରୀୟ ନେତାଙ୍କ ପାଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି  । କିଛି ନେତା ପୁଣି ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତାଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ ବେଲି କଂଗ୍ରେସ ଅନ୍ଦର ମହଲରୁ  ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପାଇଁ ଆସୁଛି କାଳ ରାତି, ଲୋକସଭା ପରେ ରାଜ୍ୟସଭାରେ ହରାଇପାରେ ପଦ..