କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ଦିଲ୍ଲୀ ସତ୍ୟାଗ୍ରହରେ ହେବେ ସାମିଲ

1 min read

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ବିଧାୟକଙ୍କୁ ଦିଲ୍ଲୀ ଯିବା ପାଇଁ କହିଥିବା ଦଳର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ୯ ଜଣ ବିଧାୟକ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଛି । ରାହୁଲ ଗାନ୍ଧିଙ୍କୁ ଇଡିର ଜେରା ଓ ସୋନିଆ ଗାନ୍ଧିଙ୍କୁ ଜେରା ପାଇଁ ନୋଟିସ ପରେ ସମସ୍ତ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ସମେତ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇଛି ।

କେନ୍ଦ୍ର ସରକାରଙ୍କ ବିରୋଧରେ ଓ ଆଗାମୀ ଦିନରେ ହେବାକୁ ଥିବା ୫ ରାଜ୍ୟର ନିର୍ବାଚନ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବ । ଏହାସହ ଓଡ଼ିଶାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହେବାର ସମ୍ଭାବନା ଅଛି । ଦିଲ୍ଲୀ ଡାକରା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଏଥିପାଇଁ ଦିଲ୍ଲୀରେ ସତ୍ୟାଗ୍ରହରେ ସେ ସାମିଲ ହେବେ । ସତ୍ୟାଗ୍ରହରେ ସାମିଲ ହେବାକୁ ଫୋନ୍ ଆସିଥିବା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ କହିଛନ୍ତି । ତେବେ ସଂଗଠନ ବିଷୟରେ ଆଲୋଚନା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।