ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ଏହି ବିମାନ ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏଥିରେ ବିମାନରେ ଥିବା ଯାତ୍ରୀ, ପାଇଲଟ୍, କ୍ୟାବିନ କ୍ରୁ, ମେଡିକାଲ ହଷ୍ଟେଲରେ ଉପସ୍ଥିତ ଲୋକମାନେ ସାମିଲ ଅଛନ୍ତି ।ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇସାରିଛି। ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମେଡିକାଲ ହଷ୍ଟେଲ ଧକ୍କା ହୋଇଥିଲା। ସେଠାରେ ପ୍ରାୟ ୫୦ ରୁ ୬୦ ଜଣ ଉପସ୍ଥିତ ଥିଲେ। କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ କୌଣସି ସଠିକ ସୂଚନା ନାହିଁ। ମୃତ୍ୟୁ ସଂଖ୍ୟା ବଡିବାରେ ଲାଗିଛି ।ଶନିବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୨୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୪୧ ଜଣ ବିମାନରେ ଥିଲେ ଏବଂ ବାକି ୩୩ ଜଣ ବିମାନ ଦୁର୍ଘଟଣା ସମୟରେ ନିକଟରେ ଉପସ୍ଥିତ ଥିଲେ।
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯାଉଛି। ଏପର୍ଯ୍ୟନ୍ତ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ୨୭୦ ରୁ ଅଧିକ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଛି। ଏହା ବ୍ୟତୀତ ୨୦୦ ରୁ ଅଧିକ ଲୋକଙ୍କ ଡିଏନଏ ପରୀକ୍ଷା ମଧ୍ୟ କରାଯାଇଛି। ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଆହତମାନଙ୍କୁ ଭେଟିବା ପାଇଁ ଅହମ୍ମଦାବାଦର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି କୁମାର ବିଶ୍ୱାସଙ୍କୁ ହସ୍ପିଟାଲରେ ଭେଟିଥିଲେ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି ଯେ ଧ୍ୱଂସର ଦୃଶ୍ୟ ଦୁଃଖଦ। ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ଅଛି ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରି ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଯନ୍ତ୍ରଣା କଳ୍ପନା କରିବା କଷ୍ଟକର। ସେ ଆହୁରି ଲେଖିଛନ୍ତି ଯେ ଟାଟା ସନ୍ସ ଦୁର୍ଘଟଣାରେ ପରିବାର ସଦସ୍ୟଙ୍କୁ ହରାଇଥିବା ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବ।