କରୋନା ନେଇଥିଲା ଝିଅ ଜୀବନ, ଏବେ ତା’ ୧୫ ଲକ୍ଷ ଏଫଡି ଟଙ୍କାରେ କରୁଛନ୍ତି କୋଭିଡ ରୋଗୀଙ୍କ ଚିକିତ୍ସା

ଅହମଦାବାଦ: କରୋନା ଭାଇରସ ସହ ଲଢୁଥିବା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଅହମଦାବାର ଦମ୍ପତ୍ତି । ଗୁଜୁରାଟର ଅହମଦାବାଦରେ ବାସ କରୁଥିବା ରସିକ ମେହତା ଏବଂ ତାଙ୍କ ସ୍ତ୍ରୀ କଳ୍ପନା ଜୀବନ ସହ ସଂଘର୍ଷ କରୁଥିବା କରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି । ବିଗତ ବର୍ଷ ୨୦୨୦ରେ କରୋନା ଭାଇରସର ପ୍ରଥମ ପର୍ଯ୍ୟାୟରେ ତାଙ୍କ ଏକମାତ୍ର ଝିଅର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ କେହି ଯେମିତି କରୋନାରେ ମୃତ୍ୟୁବରଣ ନକରନ୍ତୁ ସେଥିପାଇଁ ଝିଅ ପାଇଁ କରିଥିବା ୧୫ ଲକ୍ଷଟଙ୍କାର ଏଫଡି କରୋନା ରୋଗୀଙ୍କ ଚିକିତ୍ସାରେ ଲଗାଉଛନ୍ତି । ସୂଚନା ମୁତାବକ ସେ ଏଯାବତ ୨୦୦ ଆଇସୋଲେଟେଡ ରୋଗୀଙ୍କୁ କରୋନା କିଟ୍ ପ୍ରଦାନ କରିସାରିଛନ୍ତି । କେବଳ ସେତିକି ନୁହେଁ, ନିଜ ଖର୍ଚ୍ଚରେ ୩୫୦ରୁ ଅଧିକ ଲୋକଙ୍କୁ ସେ କରୋନା ଟିକା ମଧ୍ୟ ଲଗାଇସାରିଛନ୍ତି ।

ମେହେତା ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ନିଜ ଏକମାତ୍ର ଝିଅକୁ ହରାଇବା ପରେ, କରୋନା ଭାଇରସ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସହାୟତା କରିବାକୁ ଚିନ୍ତା କଲେ । ଏହା ପରେ ସେ ପ୍ରତିଦିନ ସକାଳେ ଏଭଳି ଲୋକଙ୍କ ସନ୍ଧାନରେ ବାହାରିପଡ଼ନ୍ତି, ଯେଉଁମାନେ ଟିକା ନେବାରୁ ବଞ୍ଚିତ ଅଛନ୍ତି । ଏହାପରେ ଏମିତି ଲୋକଙ୍କୁ ନିଜ କାରରେ ଭାକସିନ ଲଗାଇବା ପାଇଁ ଟିକାକରଣ କେନ୍ଦ୍ରକୁ ନେଇଯାଆନ୍ତି । ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ କେହି ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ଏହା ତାଙ୍କର ପ୍ରୟାସ ।

Leave a Reply

ନଜର ପକାନ୍ତୁ