କଂଗ୍ରେସ-ଆପ୍ ଆସନ ବୁଝାମଣାକୁ ନେଇ ଗୁଜରାଟରେ ଝଡ଼

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ଦିଲ୍ଲୀ ଓ ଗୁଜରାଟରେ ଆପ୍ ସହ ଆସନ ବୁଝାମଣା ପରେ କଂଗ୍ରେସର ତୁଙ୍ଗ ନେତା ସମାନ୍ୟ ଆଶ୍ବସ୍ତ ହୋଇଥିଲେ । ହେଲେ ଏହି ଆସନ ବୁଝାମଣା କଂଗ୍ରେସ ପାଇଁ ଏକ ଝଡ଼ ନେଇ ଆସିଛି । ଆଉ ଏହିଝଡ଼ ଗୁଜରାଟରୁ ସୃଷ୍ଟି ହୋଇଛି । ନିଜର ଦୁର୍ଗ ବୋଲି କୁହାଯାଉଥିବା ଭାରୁଚ ଲୋକସଭା ଆସନକୁ କଂଗ୍ରେସ ଆପ୍ ପାଇଁ ଛାଡି ଦେବାକୁ ନେଇ ସୃଷ୍ଟଇ ହୋଇଛି ବିବାଦ ।

ଏହି ନିର୍ବାଚନ ମଣ୍ଡଳୀଟି ସ୍ବର୍ଗତ ଅହମ୍ମଦ ପଟେଲଙ୍କ ପାଇଁ କଂଗ୍ରେସର ଦୁର୍ଗ ହୋଇ ରହିଥିଲା । ତେବେ କଂଗ୍ରେସ ଏହି ଆସନକୁ ଆମ୍ ଆଦମୀ ପାର୍ଟି ହାତକୁ ଟେକି ଦେବାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ସୂଚନାଯୋଗ୍ୟ, ଅହମ୍ମଦ ପଟେଲ ଥିଲେ ଗୁଜରାଟ କଂଗ୍ରେସର ଜଣେ ତୁଙ୍ଗ ନେତା । ସୋନିଆ ଗାନ୍ଧୀଙ୍କ ସେ ଥିଲେ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ସଚିବ । ଗାନ୍ଧୀ ପରିବାରର ବେଶ୍ ବିଶ୍ବସ୍ତ । ୩ ଥର ଲୋକସଭାକୁ ଓ ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଏହି ଆସନକୁ ଆପକୁ ଦେଇ ଦିଆଯିବାକୁ ସ୍ଥାନୀୟ କଂଗ୍ରେସ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କଂଗ୍ରେସର ଏପରି ନିଷ୍ପତ୍ତିକୁ ବିଜେପି ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇଛି ।

ସେପଟେ ଏହି ଭାଗବଣ୍ଟାକୁ ନେଇ ଭାରୁଚ ଜିଲ୍ଲା କଂଗ୍ରେସ କର୍ମୀଙ୍କ ନିକଟରେ କ୍ଷମା ମାଗିଛନ୍ତି ଅହମ୍ମଦ ପଟେଲଙ୍କ କନ୍ଯା ମମତାଜ ପଟେଲ । ସେ କହିଛନ୍ତି, ମେଣ୍ଟ ପ୍ରକ୍ରିୟାରେ ଏହି ଆସନକୁ ପାଇପାରି ନଥିବାର ଦଳୀୟ କର୍ମୀଙ୍କୁ କ୍ଷମା ମାଗୁଛି । କଂଗ୍ରେସକୁ ଏଠାରେ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରାଯିବ । ଅହମ୍ମଦଙ୍କ ୪୫ ବର୍ଷର ଲିଗାସୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ।’

କଂଗ୍ରେସର ସବୁଠାରୁ ବିଶ୍ବସ୍ତ କ୍ରାଇସିସ ମ୍ଯାନଜେର ଥିବା ଅହମ୍ମଦ ଗତ ୨୦୨୦ ନଭେମ୍ବରରେ କୋଭିଡର ଇହଲୀଳା ତ୍ଯାଗ କରିଥିଲେ । ଦିଲ୍ଲୀରେ ଆପ୍ ୪ଟି ଓ କଂଗ୍ରେସ ୩ଟିରେ ଲଢିବାକୁ ସହମତି ପ୍ରକାଶ ପାଇଛି । ଉତ୍ତରପ୍ରଦେଶରେ କଂଗ୍ରେସ ୧୭ ଓ ସମାଜବାଦୀ ପାର୍ଟି ୬୩ ଆସନରେ ଲଢିବେ । ଗୁଜରାଟରେ କଂଗ୍ରେସ ୨୪ ଆସନରେ ଓ ଆପ୍ ୨ଟି ଆସନରେ ଲଢିବେ ।