ଫଳାଫଳ ଆସିବା ଆଗରୁ MVAରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ-ଶିବସେନା ଧରାପରା
1 min readମହାରାଷ୍ଟ୍ର : ବୁଧବାର ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି । ଶନିବାର କରାଯିବ ଭୋଟ ଗଣନା । କିନ୍ତୁ ଏହା ପୂର୍ବରୁ MVAର ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପରସ୍ପର ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ପଦ ଉପରେ କଂଗ୍ରେସ ଦାବିକୁ ଶିବସେନା ପ୍ରତ୍ୟାଖାନ କରିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ କହିଛନ୍ତି କି, ନୂଆ ମୁଖ୍ୟମନ୍ତ୍ରୀ କଂଗ୍ରେସରୁ ହେବେ, ଅନ୍ୟପଟେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ନିଜ ବିବୃତ୍ତିରେ ପଟେଲଙ୍କ କଥାରେ ସହମତ ନୁହଁନ୍ତି ବୋଲି କହିଛନ୍ତି ।
ନାନା ପଟେଲ ନିଜ ବୟାନରେ କହିଛନ୍ତି ଯେ, ମହାରାଷ୍ଟ୍ରରେ କଂଗ୍ରେସର ନେତୃତ୍ୱରେ ହିଁ ଅଘାଡି ସରକାର ହେବ । ରାଜ୍ୟରେ କଂଗ୍ରେସର ସବୁଠାରୁ ଅଧିକ ବିଧାୟକ ଚୟନ ହେବେ । ଅନ୍ୟପଟେ ତାଙ୍କ ବୟାନକୁ ପ୍ରତ୍ୟାଖାନ କରି ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଏଥିରେ ରାଜି ନୁହେଁ, କେହି ଏହାକୁ ମାନିବେ ନାହିଁ । ଆମେ ସମସ୍ତେ ଏକାଠି ବସି ନିଷ୍ପତ୍ତି ନେବୁ… ଅଘାଡି ସରକାର ଏକାଠି ବସି ଏହାର ନିଷ୍ପତ୍ତି ନେବୁ । ଯଦି ନାନା ପଟେଲଙ୍କୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କହିଛନ୍ତି , ତେବେ ସେ ଏହାକୁ ଘୋଷଣା କରିପାରିବେ ।
ଏହା ପ୍ରଥମ ଘଟଣା ନୁହେଁ ଯେ, ପଟେଲ ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ ଏଭଳି ବାକ୍ୟ ଯୁଦ୍ଧ ଘଟିଛି । ପୂର୍ବରୁ ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଦୃଢ ପ୍ରତିକ୍ରିୟା ଦେଇଥିଲେ। ଯାହାପରେ ମହାବିକାଶ ଅଘାଡିର ବୈଠକ ପୂର୍ବରୁ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ନାନାନ ପଟେଲ ସଞ୍ଜୟ ରାଉତଙ୍କୁ ବୟାନ ଜରିଆରେ ତେରଛାବାଣ ମାରିଥିଲେ । ସେ କହିଥିଲେ, ସଞ୍ଜୟ ରାଉତ ଯାହା ଲେଖିଛନ୍ତି ଏବଂ କହିଛନ୍ତି ତାହା ମୁଁ ଜାଣିନାହିଁ । କିନ୍ତୁ ଆପଣ ସର୍ବଜାନୀନ ଭାବେ ମେଣ୍ଟ ଉପରେ ଏପରି ଅଭିଯୋଗ କରିପାରିବେ ନାହିଁ । ସଞ୍ଜୟ ରାଉତଙ୍କ ବୟାନକୁ ଆମେ ଗ୍ରହଣ କରୁ ନାହୁଁ ।