ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ରତ୍ନଭଣ୍ଡାର ଖୋଲିବା ପାଇଁ ଆଜ୍ଞାମାଳ

ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ରତ୍ନଭଣ୍ଡାରର ରକ୍ଷକ ବାବା ଲୋକନାଥଙ୍କ ଆଜ୍ଞାମାଳ ଶ୍ରୀମନ୍ଦିରକୁ ଆସିଛି । ଆଜ୍ଞାମାଳ ରତ୍ନଭଣ୍ଡାରରେ ପହଞ୍ଚିବା ପରେ ଯଥାରୀତି ପୂଜାର୍ଚ୍ଚନା ପରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ବାବା ଲୋକନାଥଙ୍କ ସେବାୟତ ତାଙ୍କ ମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିରକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ବାବା ଲୋକନାଥ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷକ । ତାଙ୍କ ବିନା ଅନୁମତି ବିନା ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବାର କାହାକୁ ଅନୁମତି ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ଅନୁମତି ଆବଶ୍ୟକ ଥିଲା ।

ସୂଚନାଯୋଗ୍ୟ, ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚୂଡ଼ାନ୍ତ ଅନୁମୋଦନ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପଠାଯାଇଥିଲା । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ଯକ୍ଷ ବିଶ୍ବନାଥ ରଥ କହିଛନ୍ତି ଦିନ ଗୋଟାଏ ପରେ ଶୁଭ ମୁହୂର୍ତ୍ତ ରହିଥିବା ସୂଚନା ମିଳିଛି । ଏଣୁ ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲିପାରେ ବୋଲି ଆଶା କରାଯାଉଛି ।

ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ପର୍ଯ୍ୟାୟ କ୍ରମାଗତ ଭାବେ କରାଯିବ । ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଏହାକୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଭାବେ ପରିଗଣିତ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ସଂଖ୍ଯା, ଓଜନ ଓ ମାନର ଡିଜିଟାଲ ଲାଇବ୍ରେରୀ ହେବ । ଆଗାମୀ ଦିନ ପାଇଁ ଏକ ଡିଜିଟାଲ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ରତ୍ନଭଣ୍ଡାର ଗଣତି ସମୟରେ ଏହା ସହାୟକ ହେବ ।

ଏସଓପି ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟ ଚିତ୍ର ଦିଆଯାଇଛି । ବିଶେଷ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । କେଇଁ କାମ ପାଇଁ କେଉଁ ଟିମ୍ ଯିବ ଧାର୍ଯ୍ୟ ହୋଇଛି । ସେହି ଆଧାରରେ ସେମାନଙ୍କୁ ଏସଓପି ପ୍ରଦାନ କରାଯାଇଛି । ସବୁ ଦିଗକୁ ବିଚାର କରାଯାଇ ରତ୍ନଭଣ୍ଡାର ଖୋଲିଯାଉଛି । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି ପ୍ରଭାବିତ ନହେବକୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।