ମେ ଓ ଜୁନ୍ ମାସରେ ଆବଶ୍ୟକ ସାର ଦେଇନି କେନ୍ଦ୍ର, ଚିଠି ଲେଖିଲେ ଅରୁଣ ସାହୁ

ଭୁବନେଶ୍ୱର: ମେ ଓ ଜୁନ୍ ମାସରେ ଆବଶ୍ୟକ ଅନୁଯାୟୀ ସାର ରାଜ୍ୟକୁ ଦେଇନାହିଁ କେନ୍ଦ୍ର । ଏଥିପାଇଁ ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ାଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ କୋଟା ବାବଦରେ ଗତ ମେ ମାସରେ ୪୮ ହଜାର ୯୫୦ ମେଟ୍ରିକ୍ ଟନ୍ ୟୁରିଆ ମିଳିବାକୁ ଥିବାବେଳେ, ମିଳିଛି ୩୪ ହଜାର ୩୪୦ ମେଟ୍ରିକ୍ ଟନ୍ । ସେହିପରି ଜୁନ କୋଟା ବାବଦକୁ ୭୦ ହଜାର ୮୩୦ ମେଟ୍ରିକ୍ ଟନ୍ ମିଳିବାର ଥିଲା, କିନ୍ତୁ ମାତ୍ର ୧୮ ହଜାର ୬୯୦ ମେଟ୍ରିକ୍ ଟନ୍ ସାର ମିଳିଥିବା ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିପରି ଡିଏପି, ଏମ୍ଓପି ଓ ଏନ୍ପିକେ ବାବଦରେ ଦୁଇ ମାସର କୋଟା ମିଶାଇ ୧ ଲକ୍ଷ ୯୨ ହଜାର ୫୦୦ ମେଟ୍ରିକ୍ ଟନ୍ ମିଳିବା କଥା । କିନ୍ତୁ ଏବେ ସୁଦ୍ଧା ମିଳିଛି ୯୩ ହଜାର ୨୨୪ ମେଟ୍ରିକ୍ ଟନ୍ । ଗତବର୍ଷ ଆବଣ୍ଟନ ଅନୁଯାୟୀ ସାର ନ ମିଳିବାରୁ ରାଜ୍ୟ ସରକାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ବର୍ଷ ମାସିକ ବକେୟା କୋଟା ରିଲିଜ କରିବା ସହିତ ଜୁନ୍ ଓ ଆସନ୍ତା ଦିନମାନଙ୍କରେ ସାର ଯୋଗାଣ ସୁନିଶ୍ଚିତ କରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।