ବର୍ଷା ବାତ୍ୟା ପୂର୍ବରୁ ଆଗୁଆ ମାର୍ଗଦର୍ଶିକା ଜାରି କରିବ କୃଷି ବିଭାଗ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢିବାରେ ଲାଗୁଛି । ଫସଲ ସୁରକ୍ଷିତ କରିବାକୁ କୃଷି ବିଭାଗ ମାର୍ଗଦର୍ଶିକା ଜାରି କରିଛି । ଫସଲରେ ରୋଗପୋକ ନ ଲାଗିବା ଉପରେ ଏଥିରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏବେ ଅଧିକାଂଶ ସ୍ଥାନରେ ଧାନ କଟା ସରିଲାଣି । ମାର୍ଗଦର୍ଶିକା କାର୍ଯ୍ୟାକାରୀ କରିବାକୁ କ୍ଷେତ୍ରରେ ଅଧିକାରୀ ଅଛନ୍ତି । କୃଷି ଅଧିକାରୀଙ୍କୁ ଆଲର୍ଟ ରଖାଯାଇଛି ।

ଫସଲ ସୁରକ୍ଷିତ ରଖିବାକୁ ସମସ୍ତ ବନ୍ଦୋବସ୍ତ କରୁଛି କୃଷି ବିଭାଗ । ତେବେ ଫସଲ ନଷ୍ଟ ହେଲେ, ନିୟମ ଅନୁସାରେ ମିଳିବ ବୀମା ସହାୟତା । ମୁଖ୍ୟତଃ ଶୀତଦିନିଆ ଫସଲ ହୋଇଥିବାରୁ, ପନିପରିବାରେ ରୋଗପୋକ ଲାଗିବାର ଭୟ ରହିଛି । ମେଘୁଆ ପାଗରେ ମୁଗ, ବିରି ଆଦି ଡାଲିଜାତୀୟ ଫସଲରେ ଜଉ ପୋକ ଓ ଅନ୍ୟାନ୍ୟ ଶୋଷକ କୀଟ ଲାଗିବାର ସମ୍ଭାବନା ଅଛି ।

ସାହେବୀ ରୋଗର ବାହକ ଧଳାମାଛି ନିୟନ୍ତ୍ରଣ କରିବାପାଇଁ ଏକର ପ୍ରତି ୮ରୁ ୧୦ ଗୋଟି ଅଠାଳିଆ ହଳଦିଆ ଯନ୍ତା ବ୍ୟବହାର କରିବାକୁ ଓୟୁଏଟି ପରାମର୍ଶ ଦେଇଛି । ଏଥିସହ ଅନୁମୋଦିତ ଜୈବିକ କୀଟନାଶକ ବ୍ୟବହାର ଉପରେ ବି ଗୁରୁତ୍ବ ଦିଆଯାଇଛି । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଅମଳ ପରେ ସୁରକ୍ଷିତ ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯାଉଛି ।