କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲା: ରାତି ଅଧିଆ ଚାଷୀଙ୍କୁ ଧାନରୁଆ ମେସିନ୍ ଦେଲା ଶୀତଲ ଆଗ୍ରୋ ଇନପୁଟ୍ କଂପାନୀ !

ଭୁବନେଶ୍ୱର: ଉପାନ୍ତରେ କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲା ଏବେ ରୋଚକ ମୋଡ଼କୁ ଆସିଛି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଅକଳରେ ପଡ଼ିଯାଇଛନ୍ତି ସ୍ଥାନୀୟ ପ୍ରଶାସନ ଓ କଂପାନୀ କର୍ତ୍ତୃପକ୍ଷ । ରାତି ଅଧିଆ ଅଭିଯୋଗକାରୀ ଚାଷୀଙ୍କୁ ହାତଗଣତି ଯନ୍ତ୍ରାଂଶ ପ୍ରଦାନ କରିଛନ୍ତି । ମାତ୍ର ଏବେବି ଶତାଧିକ ଚାଷୀଙ୍କ ସବସିଡି ଟଙ୍କା ନେଇ ଧାନରୁଆ ଯନ୍ତ୍ର କଂପାନୀ ଦେଉନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ବିଧାୟକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ବିତରଣ କଂପାନୀ ମଧ୍ୟ ରଖିଛି ପ୍ରତିକ୍ରିୟା ।

ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରାଂଶ  ଦୁର୍ନୀତି ମାମଲାର ନୂଆ ମୋଡ଼ ଆସିଛି । ଚାଷୀଙ୍କଠାରୁ ଅଭିଯୋଗ ପାଇ ସିରିଜ୍‌ ଖବର ପ୍ରସାରଣ ପରେ ଚେତିଛନ୍ତି କଂପାନୀ କର୍ତ୍ତୃପକ୍ଷ । ନିଜର ସୁରକ୍ଷା ପାଇଁ ଧର୍ମକୁ ଆଖିଠାର ମାରି ରାତି ଅଧିଆ କିଛି ଚାଷୀଙ୍କୁ କଂପାନୀ କର୍ତ୍ତୃପକ୍ଷ ଯନ୍ତ୍ରାଂଶ ଦେଇଛନ୍ତି । ମାତ୍ର ଏବେବି ଶତାଧିକ ଲୋକ ନିଜ ଯନ୍ତ୍ରାଂଶ ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ କେବେ ମିଳିବ ତାର ଉତ୍ତର କାହା ପାଖରେ ନାହିଁ। ନବରଙ୍ଗପୁର ବିଧାୟକ ଏ ମାମଲାରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ କମିଟି ଦ୍ଵାରା ତଦନ୍ତ କରାଇବାକୁ ଲିଖିତ ଅପିଲ୍‌ କରିବେ ବୋଲି କହିଛନ୍ତି।

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମା ପଞ୍ଚାୟତରେ ୧୩୦ରୁ ଅଧିକ ଚାଷୀ, ଯ଼ନ୍ତ୍ରପାତି ପାଇଁ ପଞ୍ଚିକରଣ କରିଥିଲେ । ମାତ୍ର ସେମାନଙ୍କୁ ଯ଼ନ୍ତ୍ରପାତି ଦିଆନଯାଇ ସରକାର ଦେଉଥିବା ସବ୍‌ସିଡି ଟଙ୍କା ହଡ଼ପ କରାଯାଇଥିବା ଅଭିଯ଼ୋଗ ହୋଇଛି। ଚାଷୀଙ୍କୁ ମେସିନ ନଦେଇ ସବ୍‌ସିଡି ଟଙ୍କା ତାଙ୍କ ନାଁରେ କରି ସପ୍ଲାୟର ଓ ଏଜେଣ୍ଟ ମାଲେମାଲ ହୋଇଛନ୍ତି । ମହାଦୁର୍ନୀତିର ପର୍ଦ୍ଦ।ଫାସ ହେବା ପରେ ତତ୍ପର ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। କିନ୍ତୁ ଯନ୍ତ୍ରାଂଶ ରିହାତି ଦରରେ ଯୋଗାଇ ଦେବା ନେଇ ଯେଉଁ ଗାଇଡଲାଇନ ରହିଛି ତାର ଉଲ୍ଲଂଘନ ସଂପର୍କରେ ପ୍ରଶାସନ ପୁରା ଚୁପ୍ । କୋରାପୁଟ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରୁଥିବା କହିଛନ୍ତି।

ଯନ୍ତ୍ରାଂଶ  ଦେବାର ଚୁକ୍ତି କରିଥିବା ଶୀତଲ ଆଗ୍ରୋ ଇନପୁଟ କଂପାନୀର ନିର୍ଦ୍ଦେଶକ କହିଛନ୍ତି ସେମାନେ କିଛି ଭୁଲ୍‌ କରିନାହାଁନ୍ତି, ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ। ପୂର୍ବରୁ ଶୀତଲ ଆଗ୍ରୋ କଂପାନୀର ନିର୍ଦ୍ଦେଶକଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ପୁଣିଥରେ ସେହି କଂପାନୀକୁ ବିତରଣ ନେଇ ଅନୁମତି ଦେଲା କିଏ ବୋଲି ସବୁଠି ପ୍ରଶ୍ନ ।

Leave a Reply