କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଲକ୍ଷ୍ୟ: ଅରୁଣ ସାହୁ

1 min read
Agri Business Corporates And Farmer Producer Organization

ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ । ଆଜି ଲୋକସେବା ଭବନସ୍ଥିତ କନଭେନସନ୍‌ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍‌ ବୈଠକକୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି । ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ ଓ ଅଗ୍ରଣୀ କୃଷି ଉଦ୍ୟୋଗ କର୍ପୋରେଟ୍‌ ସଂସ୍ଥା ମଧ୍ୟରେ ନିରନ୍ତର ଆନୁଷ୍ଠାନିକ ବିପଣନ ସଂଯୋଗ ସ୍ଥାପନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକ ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଶା କୃଷି ସମାବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ଅଛି ।

ବର୍ତ୍ତମାନ ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍‌ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି । ନିରନ୍ତର ଉତ୍ସ ମଡେଲ୍‌ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି ।

 Agri Business Corporates And Farmer Producer Organization

ଭିତ୍ତିଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତ୍ତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ । କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି । ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତ୍ତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି ।

ଓଡ଼ିଶା ମକା, ମିଲେଟ୍‌, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍‌, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ଉଭା ହୋଇଛି । ସବୁଜ ବିପ୍ଳବ ପରେ ଉତ୍ପାଦନଭିତ୍ତିକ କୃଷି ଆପଣେଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି ।

ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ।

ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ ଏବଂ ପୂରା ଅଧିବେଶନରେ ସଂଯୋଜନା କରିଥିଲେ । ଅତିରିକ୍ତ ଶାସନ ସଚିବ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓର୍‌ମାସ୍‌ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍‌ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା ।

୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍‌ ବାସ୍କେଟ୍‌, ମଦର ଡାଇରୀ, ଡି-ହାଟ୍‌, ଇଣ୍ଡିଆନ୍‌ ଓସିନ୍‌ ଗ୍ରୁପ୍‌ ଏଥିରେ ଯୋଗଦେଇଥିଲେ । ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।