ତାଜମହଲରେ ବୋମା ଖବର ମିଛ, ଫିରୋଜାବାଦରୁ ଆସିଥିଲା ଫେକ୍ କଲ୍

ନୂଆଦିଲ୍ଲୀ: ତାଜମହଲରେ ବୋମା ଆତଙ୍କ। ସକାଳୁ ସକାଳୁ ତାଜମହଲରେ ବୋମା ଥିବା ଖବର ପୋଲିସକୁ ମିଳିଥିଲା ।  ଡାଏଲ୍ ୧୧୨କୁ ଫୋନ୍ କରି ଏହି ପୋଲିସକୁ ଏହି ସୂଚନା ଦେଇଥିଲେ । ସୂଚନା ପାଇବା ପରେ ତୁରନ୍ତ ତାଜମହଲକୁ ପୋଲିସ ନିଜ ନିୟନ୍ତ୍ରଣକୁ ନେଇଥିଲା । ତାଜମହଲର ତିନି ଫାଟକକୁ ତତକ୍ଷଣାତ ବନ୍ଦ କରି ଦିଆଯାଇଥିଲା ।

ଫାଟକ ବନ୍ଦ କରିବା ପରେ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ତାଜମହଲ ଭିତରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସେଠାରୁ ବାହାର କରାଯାଇଥିଲା । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ମଧ୍ୟରେ ତଲାସି କରିଥିଲା । ତେବେ ପରେ ଏହା ଏକ ମିଥ୍ୟା କଲ ଥିଲା ବୋଲି ଜଣା ପଡିଥିଲା । ପୋଲିସ ଅନୁସାରେ ଫିରୋଜାବାଦରୁ ଏହି ମିଥ୍ୟା କଲ ଆସିଥିଲା । କରୋନା କାରଣରୁ ଚାକିରି ପାଉନଥିବାରୁ ମାନସିକ ଭାରସମ୍ୟ ହରାଇଥିବା ଜଣେ ଯୁବକ ଏଭଳି କଲ କରିଥିଲା ବୋଲି ପୋଲିସ କହିଛି । ଆଗ୍ରା ପୋଲିସ ଅନୁସାରେ ଏହି ଯୁବକ ସେନାରେ ସାମିଲ ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ କରୋନା ଯୋଗୁ ସେନାରେ ଭର୍ତ୍ତି ହୋଇ ପାରିନଥିଲେ ।

୧୧୨କୁ କଲ କରି ଯୁବକ ଜଣକ ତାଜମହଲ ପରିସରରେ ବୋମା ଥିବା ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ ଯେ, ଖୁବଶୀଘ୍ର ବୋମା ଫାଟିବ । ସୂଚନା ପାଇବା ପରେ ତାଜମହଲ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ତାଜମହଲରୁ ପର୍ଯ୍ୟଟକଙ୍କୁ ବାହାର କରିବା ସହିତ ଫୋନ୍ କଲକୁ ଟ୍ରେସ୍ କରିବା ଆରମ୍ଭ କରିଥିଲା । ଫୋନ୍ ଫିରୋଜାବାଦରୁ ହୋଇଥିଲା ବୋଲି ସିଆଇଏସଏଫ୍ ଜାଣିବାକୁ ପାଇଥିଲା ।

Leave a Reply