ସେନାର ଘୋଷଣା: ପ୍ରତ୍ୟାହାର ହେବନି ‘ଅଗ୍ନିପଥ’

1 min read

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ କୌଣସି ପ୍ରକାର ପାତର ଅନ୍ତର ହେବ ନାହିଁ । ଆସନ୍ତା ୫ ବର୍ଷରେ ୫୦ରୁ ୬୦ ହଜାର ଯୁବକଙ୍କୁ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇ ହେବ ୧ ଲକ୍ଷ ୨୫ହଜାର । ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ଯୋଜନା ସମ୍ପର୍କରେ ମତ ରଖିଛନ୍ତି ତିନିସେନା । ସାମରିକ ବ୍ୟାପାର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି- ଡ୍ୟୁଟି ବେଳେ ପ୍ରାଣ ଚାଲିଗଲେ ମିଳିବ ୧ କୋଟି ଚଙ୍କାର କ୍ଷତିପୂରଣ ।

ଏହା ସହ ନିୟମିତ ସୈନିକଙ୍କ ପରି ଅଗ୍ନିବୀରଙ୍କୁ ମିଳିବ ସମାନ ଭତ୍ତା । ପ୍ରତିରକ୍ଷା ବିଭାଗରେ ଚାକିରି ଏକ ଭାବ ପ୍ରବଣତାର ପ୍ରତୀକ । ଏହାକୁ ଦରମା ସହ ତୁଳନା କରାଯାଇ ନପାରେ ବୋଲି କହିଛନ୍ତି ପୁରି । ସେ ଆହୁରି କହିଛନ୍ତି ଭବିଷ୍ୟତର ଯୁଦ୍ଧ ପ୍ରଯୁକ୍ତିଗତ ଭାବେ ସୁବିଧା ହେବ । ଏଥିଲାଗି ଭିନ୍ନ ପ୍ରକାର ଯବାନଙ୍କ ଆବଶ୍ୟକତା ଥିବାରୁ ଅଗ୍ନିପଥ ଯୋଜନା କରାଯାଇଛି । ୧୯୮୯ ମସିହାରୁ ଅଗ୍ନିପଥ ଯୋଜନା ପଡ଼ିରହିଥିଲା । ମାତ୍ର ବର୍ତ୍ତମାନ ତାହାକୁ କାର୍ଯ୍ୟକାରୀ କରାଯାଉଛି ।

ଡ୍ରାଇଭର, ଇଲେକ୍ଟ୍ରିସିଆନ, ଓ୍ବାସରମ୍ୟାନଙ୍କ ଦକ୍ଷତା ପରି ଅଗ୍ନିବୀରମାନଙ୍କୁ ତାଲିମ ପ୍ରଦାନ କରାଯିବ । ବାୟୁସେନାରେ ପ୍ରଥମେ ଜୁନ ୨୪ରୁ ତାଲିମ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଏୟାର ମାର୍ଶଲ ଏସକେ ଝା । ସେହିପରି ନଭେମ୍ବର ୨୧ରୁ ନୌସେନା ଏବଂ ଡିସେମ୍ବର ୩୦ରୁ ସ୍ଥଳ ସେନା ବି ଆରମ୍ଭ କରିବ ତାଲିମ ପ୍ରକ୍ରିୟା । ତେବେ ଦେଶର କିଛି ଅଞ୍ଚଳରେ ଅଗ୍ନିପଥକୁ ନେଇ ବିବାଦ ଏବଂ ବିଦ୍ରୋହ ଦେଖାଯାଉଥିଲା  ।  ତିନିସେନାର ମିଳିତ ପ୍ରେସମିଟ୍ ପରେ ଆନ୍ଦୋଳନରେ ବ୍ରେକ ଲାଗିପାରେ  ।