ସାଧନ ଥିଲେ କରୋନା ସଂକ୍ରମିତଙ୍କୁ ରଖିପାରିବେ ଏଜେନ୍ସି ଓ ଘରୋଇ ସଂସ୍ଥା, ସରକାର ଦେବେ ଆର୍ଥିକ ସହାୟତା

1 min read

ଭୁବନେଶ୍ୱର: ଘରେ ରହିବେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ । ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳ ସମେତ ବ୍ଲକ, ସବ୍-ଡିଭିଜନାଲ ଓ ଜିଲ୍ଲା ହେଡ କ୍ୱାର୍ଟରରେ ହୋମ୍ ଆଇସୋଲେସନରେ ରହି ହେବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ସର୍ଭେରୁ ଜଣାପଡ଼ିଛି ଘରେ ରହିବା ଲକ୍ଷଣହୀନ ଆକ୍ରାନ୍ତଙ୍କ ପାଇଁ ମାନସିକ ସ୍ତରରେ ଭଲ । କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ସେମାନେ ହସ୍ପିଟାଲରେ ରହିବାକୁ ବାଧ୍ୟ ହେଉଛନ୍ତି । ଯାହାକି ମାନସିକ ଚିନ୍ତା ଆଣୁଛି ।

ଦ୍ୱିତୀୟତଃ ଲକ୍ଷଣହୀନ ଲୋକ ହସ୍ପିଟାଲରେ ରହିଲେ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଘରେ ରହିଲେ ପରିବାର ସଦସ୍ୟ ମାନିବେ । ସହରାଞ୍ଚଳରେ ହୋମ୍ ଆଇସୋଲେସନ୍ ଭଲ ହେବ । ଅଲଗା ଘର ଓ ପାଇଖାନା ଥିଲେ ଏନେଇ ଅନୁମତି ମିଳିବ । ସେ ସୁବିଧା ନଥିଲେ ତାଙ୍କୁ ହେଲଥ ଫ୍ୟାସିଲିଟିରେ ରଖାଯିବ ।

ସବୁ ପୌରାଞ୍ଚଳ ସମେତ ଭୁବନେଶ୍ୱର ବିମାନବନ୍ଦର, ଝାରସୁଗୁଡ଼ା ବିମାନବନ୍ଦର, ପୂର୍ବତଟ ରେଳପଥର ସମସ୍ତ ସେଣ୍ଟର, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀର ଟାଉନସିପ୍ ଓ କଲୋନୀ, ସେଣ୍ଟ୍ରାଲ ପୋଲିସ ଫୋର୍ସ, ଏନଡିଆରଏଫ୍, ଓଡ଼ିଶା ପୋଲିସ, ଓଡ଼ିଶା ଅଗ୍ନିଶମ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ, ଧର୍ମାନୁଷ୍ଠାନ, ସ୍ୱେଚ୍ଛାସେବୀଙ୍କ ପାଖରେ ଥିବା ସ୍ଥାନର ବ୍ୟବହାର କରିହେବ । ଏହି ସବୁ ସଂସ୍ଥା, ଏଜେନ୍ସି ନିଜ ସାଧନରେ କୋଭିଡ୍ ସଂକ୍ରମିତଙ୍କୁ ରଖିପାରିବେ ।

ତେବେ, ଏଚଆଇଭି ଆକ୍ରାନ୍ତ, କ୍ୟାନସର ଆକ୍ରାନ୍ତ, ବୃଦ୍ଧ ଏକାଧିକ ରୋଗରେ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । ହୋମ୍ ଆଇସୋଲେସନ୍ ପାଇଁ ସରକାରଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟରେ ମାଗଣାରେ କରାଯାଉଛି । ଯଦି, କୌଣସି ସଂସ୍ଥା କୋଭିଡ୍ ଆକ୍ରାନ୍ତଙ୍କୁ ରଖିବ କିନ୍ତୁ ଆର୍ଥିକ ସହାୟତା ଦେଇପାରିବ ନାହିଁ । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଟ୍ରେନିଂ ଯୋଗାଇ ଦିଆଯିବ ।

୧୧୪ ପୌରାଞ୍ଚଳ ପାଇଁ ନୂଆ ନିର୍ଦ୍ଦେଶନାମା, କରୋନା ଲକ୍ଷଣ ନଥିଲେ ଘରେ ହେବେ ଚିକିତ୍ସିତ

Leave a Reply