ପୁଣି ସିଦ୍ଧୁ-କ୍ୟାପଟେନ ଭିଡ଼ାଭିଡ଼ି

1 min read

ଚଣ୍ଡିଗଡ଼: ପଞ୍ଜାବରେ ସିଦ୍ଧୁ ଓ କ୍ୟାପଟେନଙ୍କ ଲଢ଼େଇ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । କ୍ୟାପଟେନ ଅମରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଲେ । କଂଗ୍ରେସ ଦଳ ବି ଛାଡ଼ି ଦେଲେ । ତଥାପି ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଆଜି ପୂରା ଦିନ ଦୁଇ ନେତା ମୁହାଁମୁହିଁ ସ୍ଥିତିରେ । ନବଜ୍ୟୋତି ସିଂ ସିଦ୍ଧୁଙ୍କ ଟ୍ବିଟରୁ ଆରମ୍ଭ ହୋଇଥିବା ଆକ୍ରମଣ-ପ୍ରତି ଆକ୍ରମଣ ବ୍ୟକ୍ତିଗତ ସ୍ତରକୁ ବି ପଳାଇଛି ।

ସିଦ୍ଧୁ ଟ୍ବିଟ କରି ଅମରେନ୍ଦ୍ର ବିଜେପିର ବିଶ୍ବାସଯୋଗ୍ୟ ଲୋକ ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ପିଏମ ଥିବା ବେଳେ ସେ ପଞ୍ଜାବକୁ ବିକ୍ରି କରିଦେଲେ । ପଞ୍ଜାବ ବିକାଶରେ ସେ ପ୍ରତିବନ୍ଧକ ଥିଲେ ।’

ସିଦ୍ଧୁଙ୍କ ଅଭିଯୋଗକୁ ନେଇ ଅମରେନ୍ଦ୍ର ପୂରା ଆକ୍ସନ ମୁଡ଼ରେ । ଏପରିକି ସିଦ୍ଧୁଙ୍କୁ ମସ୍ତିଷ୍କ ନଥିବା ମଣିଷ (ବିବେକହୀନ) ବୋଲି କହିବାକୁ ପଛାଇ ନାହାନ୍ତି । ଖାଲି ସିଦ୍ଧୁଙ୍କୁ ଟାର୍ଗେଟ କରିନାହାନ୍ତି, ଆଗକୁ କ’ଣ କରିବେ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ତାଙ୍କ ବୟାନରୁ ଅନୁମାନ କରାଯାଉଛି ପଞ୍ଜାବ ନିର୍ବାଚନ ପୂର୍ବରୁ କ୍ୟାପଟେନ ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କ ଦଳ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିବା ନେଇ ମଧ୍ୟ କିଛି ରାଜନୈତିକ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି ।

ଏପଟେ କ୍ୟାପଟେନଙ୍କ ଟାର୍ଗେଟ ପରେ ପୁଣି ଥରେ ସିଦ୍ଧୁ ପ୍ରତି ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ‘କ୍ୟାପଟେନଙ୍କୁ ପଞ୍ଜାବ ଇତିହାସର ଜୟଚନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ମନେ ପକାଇବେ । ଦାବି କରି କହୁଛି ପିଏମ ଭାବେ ଯଦି କେହି ସବୁଠାରୁ ଖରାପ ଶାସନ କରିଛନ୍ତି, ସେ ହେଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ହେଲେ ଏହା ତାଙ୍କ ପାଇଁ କିଛି ମାନେ ରଖେନି ।’

Leave a Reply