ଆଜି ବାହାରିବ ତ ସମାଧାନର ବାଟ, ନା ପୁଣି ଆନ୍ଦୋଳନରେ ବସିବେ ଅନ୍ନଦାତା

ନୂଆଦିଲ୍ଲୀ: ଆଜି ବାହାରିବ ତ ସମାଧାନର ବାଟ ? ନା ପୁଣି ଆନ୍ଦୋଳନରେ ବସିବେ ଅନ୍ନଦାତା ? ନୂଆ କୃଷି ଆଇନକୁ ନେଇ ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ହେବ ଆଲୋଚନା । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହେବେ ।

ସେହିଭଳି ଚାଷୀନେତା ମାନେ ବୈଠକରେ ଉପସ୍ଥିତ ରହିବେ । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବାବେଳେ ଆଇନ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବ । ଯଦି ସରକାର ଦାବି ନ ମାନନ୍ତି ତେବେ କାଲିଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି । ସେହିଭଳି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ରଣନୀତି ଆପଣେଇଛନ୍ତି ଚାଷୀ ।

ତେବେ କାଲି ଦେଶ ଦେଖିଥିବା କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର ଟ୍ରାକ୍ଟର ରାଲି କରିଥିଲେ ହଜାର ହଜାର ଚାଷୀ । ଆଜି କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଯଦି ଦାବି ପୂରଣ ନହୁଏ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ନୂଆ କୃଷି ଆଇନ ଚାଷୀଙ୍କ ହିତରେ ବୋଲି ପୁଣିଥରେ ଦୋହରାଇଛନ୍ତି କୃଷିମନ୍ତ୍ରୀ ।

Leave a Reply