ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାକୁ ୭୬ ହଜାର ଟନ୍‌ ଡିଜେଲ ଓ ପେଟ୍ରୋଲ ପଠାଇଲା ଭାରତ

ନୂଆଦିଲ୍ଲୀ:  ଗମ୍ଭୀର ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କାକୁ ଭାରତ ଲଗାତାର ସାହାଯ୍ୟ କରୁଛି । ଭାରତ କ୍ରେଡିଟ୍‌ ଲାଇନ୍‌ ଦ୍ୱାରା ଦ୍ୱିତୀୟ ଥର  ଇନ୍ଧନ ସଙ୍କଟରୁ ବାହାର କରିବା ପାଇଁ ଶ୍ରୀଲଙ୍କାକୁ ଡିଜେଲ ଏବଂ ପେଟ୍ରୋଲ ପଠାଇଛି । ମଙ୍ଗଳବାର ଓ ବୁଧବାର ଭାରତରୁ ୩୬ ହଜାର ମେଟ୍ରିକ୍‌ ଟନ୍‌ ପେଟ୍ରୋଲ ଏବଂ ୪୦ ହଜାର ମେଟ୍ରିକ୍‌ ଟନ୍‌ ଡିଜେଲ ଶ୍ରୀଲଙ୍କାରେ ପହଞ୍ଚିଛି ।  ଭାରତ ,ପର୍ଯ୍ୟନ୍ତ ୨.୭୦ ଲକ୍ଷ ମେଟ୍ରିକ୍‌ ଟନରୁ ଅଧିକ ଇନ୍ଧନ ଶ୍ରୀଲଙ୍କାକୁ ପଠାଇ ସାରିଲାଣି ।

ଶ୍ରୀଲଙ୍କାର ବୁଡ଼ି ଯାଉଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଭାରତ ୧ ବିଲିୟନ୍‌ ଆମେରିକୀୟ ଡଲାର ଧାର ଦେବାକୁ ଘୋଷଣା କରିଛି ।  ଏହି ମଧ୍ୟରେ ଗୋଟବାୟା ସରକାରଙ୍କୁ ଳଗାତାର ଜନତାଙ୍କ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଲୋକଙ୍କ କ୍ରୋଧ ଦୁଇ ଗୁଣା ହେବାରେ ଲାଗିଛି । ଦେଶରେ ହାହାକାର ସୃଷ୍ଟି ହୋଇଛି ।      ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତେବେ ଲୋକଙ୍କ କହିବା ହେଉଛି ଚୀନକୁ ସବୁକିଛି ବିକ୍ରି କରି ଦେଇ ନିଃସ୍ୱ ହୋଇ ଯାଇଛନ୍ତି ଶ୍ରୀଲଙ୍କା ସରକାର । ସେଥିପାଇଁ ଆଜି ଏଭଳି ଦୁର୍ଦ୍ଦିନ ଦେଖିବାକୁ ପଡ଼ିଛି ।  ଅନ୍ୟପଟେ ବିରୋଧୀ ମଧ୍ୟ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଔଷଧ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା ଶ୍ରୀଲଙ୍କା:

କେବଳ ଖାଦ୍ୟ ଏବଂ ଇନ୍ଧନ ଗ୍ୟାସ୍‌ କାହିଁକି ବରଂ ଆବଶ୍ୟକୀୟ ଔଷଧ ମଧ୍ୟ ଶ୍ରୀଲଙ୍କାରେ ଅଭାବ । ଏଥିପାଇଁ ପଡ଼ୋଶୀ ଦେଶଣ ଆବଶ୍ୟକତାକୁ ନଜରରେ ରଖି ଭାରତ ଜରୁରୀ ଔଷଧ ମଧ୍ୟ ପଠାଇଛି । ନ୍ୟାସନାଲ ଆଇ ହସ୍ପିଟାଲ କଲମ୍ବୋର ନିର୍ଦ୍ଦେଶକ ଡାକ୍ତର ଦମମିକାଙ୍କ କହିବା ହେଉଛି ଭାରତରୁ ଅଧିକତର ଔଷଧ ଏବେ ଶ୍ରୀଲଙ୍କାରେ ପହଞ୍ଚୁଛି । ଯାହା ସେମାନଙ୍କ ପାଇଁ ଏକ ବଡ଼ ସାହାଯ୍ୟ ।

 

ସୂଚନାଯୋଗ୍ୟ କୋଭିଡ ମହାମାରୀ ପରଠାରୁ ଶ୍ରୀଲଙ୍କା ଅର୍ଥବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଯେଉଁଥିପାଇଁ ୨ କୋଟିରୁ ଅଧିକ ଲୋକଙ୍କ ଖାଦ୍ୟ ଏବଂ ଔଷଧ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହା ୧୯୪୮ ମସିହା ପରେ ଦେଶରେ ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ।