ଚେତିଲେନି ରେଭେନ୍ସା କର୍ତ୍ତୃପକ୍ଷ । ପୁଣି ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି । ଇଷ୍ଟ ହଷ୍ଟେଲର ୧୫ରୁ ଛାତ୍ର ଆକ୍ରାନ୍ତ । ଏସସିବି ଟ୍ରମା କେୟାର ସେଣ୍ଟରରେ ଚାଲିଛି ଚିକିତ୍ସା । ଗତ ଜୁଲାଇ ମାସରେ ନ୍ୟୁ ପିଜି ଓ ଧର୍ମପଦ ଛାତ୍ରାବାସରେ ବ୍ୟାପିଥିଲା ଝାଡ଼ାବାନ୍ତି । ପ୍ରାଥମିକ ତଦନ୍ତରୁ ଦୂଷିତ ପାଣିକୁ ଦାୟି କଲେ କର୍ତ୍ତୃପକ୍ଷ । କଟକ ରେଭେନ୍ସାର ଇଷ୍ଟ ହଷ୍ଟେଲରେ ରାତିରେ ରୁଟି ଅଣ୍ଡା ତଡ଼କା ଖାଇବା ପରେ ଆକ୍ରାନ୍ତ ହୋଇଥିଲେ । ଏକାଧିକ ଛାତ୍ରଙ୍କ ପେଟ କାଟିବା ସହ ବାନ୍ତି ହୋଇଥିଲା । ୧୫ରୁ ଅଧିକ ଛାତ୍ରଙ୍କୁ ତୁରନ୍ତ ଏସସିବି ମେଡିକାଲ ନିଆଯାଇଥିଲା । ସେମାନଙ୍କୁ ଟ୍ରମାକେୟାର ସେଣ୍ଟରରେ ରଖାଯାଇ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଛନ୍ତି । ହଷ୍ଟେଲର ଦୂଷିତ ପାଣି ଯୋଗୁଁ ସଂକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହଷ୍ଟେଲରେ ୮ଟି ଆକ୍ବାଗାର୍ଡ ଲାଗିଥିଲେ ବି ସେଥିରୁ ଅଧିକାଂଶ କାମ କରୁ ନଥିବା କହିଛନ୍ତି ଅସୁସ୍ଥ ଛାତ୍ର।
ଗତ ଜୁଲାଇ ୧୪ରେ ବିଶ୍ବବିଦ୍ୟାଳୟର ନ୍ୟୁ ପିଜି ଓ ଧର୍ମପଦ ଛାତ୍ରାବାସରେ ବ୍ଯାପିଥିଲା ଝାଡ଼ାବାନ୍ତି । ୪୪ ଜଣ ଛାତ୍ର ଅସୁସ୍ଥ ହେବାପରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ହଷ୍ଟେଲରେ ପହଞ୍ଚି ସଫେଇ କାମର ଅନୁଧ୍ଯାନ କରିବା ସହ ସମୀକ୍ଷା କରିଥିଲେ । ନୂଆ ଭେଣ୍ଡରକୁ ଏସଓପି ମାନି ଖାଦ୍ଯ ଯୋଗାଇ ଦେବାକୁ ତାଗିଦ ମଧ୍ଯ କରାଯାଇଥିଲା । ଏହେସତ୍ତ୍ବ ମଧ୍ଯ କର୍ତ୍ତୃପକ୍ଷ ନ ଚେତିବାରୁ ପୁଣି ଏପରି ସ୍ଥତି ଉପୁଜିଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା ପରେ କୁଳପତି ସଂଜୟ ନାୟକ, ହଷ୍ଟେଲ ୱାଡେନ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଅସୁସ୍ଥ ଛାତ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି । ଛାତ୍ରମାନେ ସୁସ୍ଥ ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜନସ୍ବାସ୍ଥ୍ୟ ବିଭାଗ ସହିତ ଏକ ମିଳିତ ବୈଠକ କରି ଘଟଣାର ସ୍ଥାୟୀ ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି ।

