ବଢିଲା କରୋନା, ଫେରିଲା ଟେନସନ: ସଜାଗ ଓଡ଼ିଶା

ଭୁବନେଶ୍ବର: ବଢିଲାଣି ସଂକ୍ରମଣ, ପିଲାଙ୍କୁ ବିପଦ । ଆସିବ କି କରୋନାର ଚତୁର୍ଥ ଲହର ? ଦିଲ୍ଲୀ ଭୟା ଦେଇ ଓଡ଼ିଶାରେ ପଶିବ କି କରୋନା ? ଦିଲ୍ଲୀ ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ୨୪ ଘଣ୍ଟାରେ ଦେଶର ସଂକ୍ରମଣ ଉପରମୁହାଁ ହେବା ପରେ ସଜାଗ ହୋଇଛି ଓଡ଼ିଶା । ରାଜ୍ୟରେ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି । ତେଣୁ ସଂକ୍ରମଣ ବୃଦ୍ଧିକୁ ଦେଖି ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସଂକ୍ରମଣ ବୃଦ୍ଧିକୁ ନଜରେ ରଖି ସ୍ବାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ସ୍ଥିତି ଦେଖି ସମସ୍ତ ସର୍ତକତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ବଢାଇବାକୁ କୁହାଯାଇଛି । କ୍ଲଷ୍ଟର ଆଉଟ୍ ବ୍ରେକ ହେଲେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ସର୍ଭେଲାନ୍ସ ଜାରି ରଖିବା ସହ ହାଇରିକ୍ସ ପପୁଲେସନ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।

ଦେଶରେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ବଢିଛି । ପଜିଟିଭ ସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ଲକ୍ଷ୍ନୌ ଓ ୬ଟି ଏନସିଆର ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ୟୁପି ସରକାର । ତେଣୁ ଥଣ୍ଡା, କାଶ, ଛିଙ୍କ ହେଉଥିବା ଲୋକମାନେ ସର୍ତକ ରହିବା ସହ ଆବଶ୍ୟକ ପଡ଼ିଲେ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ରାଜ୍ୟରେ ଟିକାକରଣ ଅନ୍ୟ ରାଜ୍ୟ ତୁଳନାରେ ଭଲ ହୋଇଥିବାରୁ ଓଡ଼ିଶା ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।