ଅର୍ପିତାଙ୍କ ଘରୁ ମିଳିଲା ଆଉ ୨୦ କୋଟି ଟଙ୍କା ଓ ୩ କେଜି ସୁନା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହା ଘୋଟାଲାର ତଦନ୍ତରେ ମିଳୁଛି ପୁଳା ପୁଳା ଟଙ୍କା । ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ ଘରୁ ଆଜି ଇଡି ପୁଣି ୨୦ କୋଟି ଟଙ୍କା ସହ ୩ କେଜି ସୁନା ଜବତ କରିଛି । ମେସିନ ଲଗାଇ ଇଡି ପକ୍ଷରୁ ଟଙ୍କା ଗଣା ଚାଲିଛି । ଏହାକୁ ମିଶାଇ ଏହି ମହା ଘୋଟାଲାରେ ୪୨ କୋଟି ଟଙ୍କା ଜବତ କରାଯାଇ ସାରିଛି । ପୂର୍ବରୁ ଅର୍ପିତାଙ୍କ ପ୍ରଥମ ଘରୁ ୨୨ କୋଟି ଟଙ୍କା ଜବତ କରିଥିଲା ଇଡି । ଯେଉଁଥିରେ ଭାରତୀୟ ମୁଦ୍ରା ସହ ବିଦେଶୀ ମୁଦ୍ରା ମିଳିଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ଫୋନ ଓ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଥିଲା ।

ଅର୍ପିତାଙ୍କ ଦ୍ବିତୀୟ ଘର ବ୍ଲାକ ଟାଉନ ଆପାର୍ଟମେଣ୍ଟରେ ବିପୁଳ ଟଙ୍କା ଲୁଚାଇ ରଖା ଯାଇଥିବା ଇଡିକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା । ୪ଟି ମେସିନ ଲଗାଇ ଟଙ୍କା ଗଣା ଚାଲିଛି ।

ଏହି ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଇଡି ତରଫରୁ ଘଣ୍ଟା ଘଣ୍ଟା ଜେରା କରାଯାଇଛି । ବିଶେଷ କରି ଏକ କଳା ଡାଏରୀକୁ ନେଇ ଇଡି ତାଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରିଛି । ଏ ହେଉଛି ସେହି ବ୍ଲାକ ଡାଏରୀ ଯାହାକୁ ଚଢାଉ ବେଳେ ଇଡି ଅର୍ପିତାଙ୍କ ଘରୁ ଜବତ କରିଥିଲା ।