ପୁଣି ଅଡୁଆରେ ସାଂସଦ ବ୍ରିଜ ଭୂଷଣ, ବେଆଇନ ବାଲି ଓ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ସାଂସଦ ତଥା ରେସଲର ଫେଡେରେସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ। ବେଆଇନ ବାଲି ଖନନ ଓ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ କ୍ରମେ ବ୍ରିଜ ଭୂଷଣଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଏନଜିଟିର ପ୍ରିନ୍ସିପାଲ ବେଞ୍ଚ ପକ୍ଷରୁ ତଦନ୍ତ ଲାଗି ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଏଥିରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଗଙ୍ଗା ବିଶୋଧନ ସଂକ୍ରାନ୍ତ ଜାତୀୟ ମିଶନ, ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗୋଣ୍ଡା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରମୁଖ ସଦସ୍ଯ ଅଛନ୍ତି । ଏକ ସପ୍ତାହ ମଧ୍ୟରେ ବୈଠକରେ ଉପନୀତ ହେବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ମାସ ତଳେ ରେସଲରମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା ବ୍ରିଜ ଭୂଷଣ ।

ସରଯୁ ନଦୀରେ ବାଲି ଖନନ ଯୋଗୁ ନଦୀରେ କି କି ପ୍ରକାର କ୍ଷତି ଘଟିଛି ତାହାକୁ ଅନୁଧ୍ୟାନ କରିବ କମିଟି । କମିଟିର ସଦସ୍ୟ ଅଛନ୍ତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଓ ଡଃ ଏ. ସେନ୍ଥିଲ ଭେଲ୍ । କେଶରଗଞ୍ଜ ଅନ୍ତର୍ଗତ ମଝରଥ, ଜାଇତପୁର, ନବାବଗଞ୍ଜ, ତର୍ବାଗଞ୍ଜ, ଗୋଣ୍ଡାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ନେଇ ବ୍ରିଜ ଭୂଷଣଙ୍କ ନାଁରେ ବି ଅଭିଯୋଗ ହୋଇଥିଲା । ଯେଉଁ ଯେଉଁ ସ୍ଥାନରେ ବେଆଇନ ଖଣି ଉତ୍ତୋଳନ ହୋଇଛି ସେସବୁ ସ୍ଥାନକୁ ଏହି କମିଟି ପରିଦର୍ଶନ କରିବ । ବ୍ରିଜଭୂଷଣଙ୍କ ନାଁରେ ୩୮ଟି ଅପରାଧିକ ମାମଲା ରହିଥିବା ଜଣାଯାଇଛି ।