ପାଟନା: ପୁଣି ଥରେ ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି । ଜଣେ ବିଜେପି ନେତା ତଥା ବିହାର ମନ୍ତ୍ରୀଙ୍କ ପୁଅଙ୍କ ଦାଦାଗିରି । ନିରୀହ ପିଲାଙ୍କ ଉପରକୁ କରିଛନ୍ତି ଗୁଳିଚାଳନା । ଘଟଣାରେ ଆହତ ହୋଇଛନ୍ତି ଜଣେ ବାଳକ । ପଶ୍ଚିମ ଚମ୍ପାରଣ ଜିଲ୍ଲା ବେତିଆ ଅନ୍ତର୍ଗତ ହରଦିୟା ଗ୍ରାମରେ ଘଟିଛି ଘଟଣା । ପ୍ରତିବାଦରେ ତାଙ୍କୁ ସ୍ଥାନୀୟ ଲୋକେ ପିଟିଥିବା ଜଣାଯାଇଛି । ହରଦିୟା ଗ୍ରାମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ନେତା ନାରାୟଣ ପ୍ରସାଦ ସାହଙ୍କ ଫାର୍ମରେ କିଛି ପିଲା ଖେଳୁଥିଲେ ।

ତେବେ ସେଠାରେ ତାଙ୍କ ପୁଅ ବବଲୁ ପ୍ରସାଦ ପହଞ୍ଚି ପିଲାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକଚମକ ଦେଇଥିଲେ । ଏହା ସହ ପିଲାଙ୍କୁ ପିଟିବାରେ ଲାଗିଥିଲେ । କ୍ରୋଧ ଏତିକିରେ ଶାନ୍ତ ହୋଇ ନଥିଲା । ପିଲାଙ୍କ ଉପରକୁ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ଗୁଳିମାଡରେ ଜଣେ ବାଳକ ଆହତ ହୋଇଥିଲା । ପ୍ରତିବାଦରେ ଗ୍ରାମବାସୀ ସେଠାରେ ପହଞ୍ଚି ବବଲୁକୁ ପିଟିଥିଲେ । ବବଲୁ ବ୍ୟବହାର କରୁଥିବା ବାପା ତଥା ମନ୍ତ୍ରୀଙ୍କ କାରକୁ ବି ଭାଙ୍ଗିଦେଇଥିଲେ ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରୁ ପଳାଇଥିଲେ ମନ୍ତ୍ରୀଙ୍କ ପୁଅ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ପିସ୍ତଲ ଓ ରାଇଫଲ ଜବତ କରିଛି । ଏହି ଦୁଇଟି ଯାକ ଅସ୍ତ୍ର ବବଲୁଙ୍କ ନାମରେ ଥିବା ପୋଲିସ ଜାଣିବାକୁ ପାଇଛି । ଗୁଳିରେ ଆହତ ବାଳକକୁ ସ୍ଥାନୀୟ ବେତିଆ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଏସପି ଉପେନ୍ଦ୍ର ବର୍ମା ।

Leave a Reply