୨୭ ବର୍ଷ ପରେ ଫେରିଲେ ସ୍ବାମୀ, ବିଧବା ପତ୍ନୀଙ୍କୁ ପୁଣି କଲେ ସଧବା
କଟକ: ୩ ବର୍ଷ ତଳେ ଶୁଦ୍ଧିକ୍ରିୟା ସରିଥିଲା । ହେଲେ ହଠାତ ଘରକୁ ଫେରିଲେ ମୃତ ବୋଲି ଭାବି ନିଆଯାଇଥିବା ବ୍ୟକ୍ତି । ସ୍ବାମୀ ଲେଉଟିବା ପରେ ପୁଣି ସିନ୍ଦୂର ପିନ୍ଧିଲେ ସ୍ତ୍ରୀ । ହାତରେ ଶଙ୍ଖା ପିନ୍ଧି ସଧବା ସାଜିଲେ । କଟକ ଜିଲ୍ଲା ସଦର ଥାନା ସଇଁଦା ଗାଁରେ ଘଟିଛି ଏଭଳି ଘଟଣା । ୨୭ ବର୍ଷ ହେଲା ନିଖୋଜ ଥିବା ସ୍ବାମୀ ଫେରି ଆସିବା ପରେ ଘରେ ଖେଳିଯାଇଛି ଖୁସିର ଲହରୀ । ବିଧବା ସାଜିଥିବା ପତ୍ନୀଙ୍କୁ ନିଜ ହାତରେ ଶଙ୍ଖା ଓ ସିନ୍ଦୂର ଦେଇ ସ୍ବାମୀ ସଜାଇଛନ୍ତି ସଧବା ।
ଆନନ୍ଦ ଓ ହୁଳହୁଳିର କୋଳାହଳରେ ଭରିଲା ହାତ, ପୂରିଲା ମଥା । ୨୭ ବର୍ଷ ପରେ ଫେରିଲା ସୁହାଗ ସିନ୍ଦୂର । ଇଏ ସେହି ଦମ୍ପତି, ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ଯାହାଙ୍କ ପାଇଁ ଆଜି ପରିବାରରେ ଖୁସି, ଗାଁରେ ଉଲ୍ଲାସ । କାରଣ ୩ ବର୍ଷ ତଳେ ମୃତ ଭାବି ଶୁଦ୍ଧକ୍ରିୟା ସରିଥିବା ସ୍ବାମୀଙ୍କର ହୋଇଛି ଘର ବାହୁଡ଼ା । ପୁଣି ବିଧବା ପତ୍ନୀଙ୍କ ହାତକୁ ଫେରିଛି ଶଙ୍ଖା । ସ୍ବପ୍ନାରାଣୀଙ୍କ ସିନ୍ଥିରେ ଦାଉଦାଉ ହୋଇଛି ସ୍ବପ୍ନେଶ୍ବର ପିନ୍ଧାଇ ଦେଇଥିବା ସିନ୍ଦୂର ।
ସଇଁଦା ଗାଁର ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ପରସ୍ପରର ହାତ ଧରି ସଂସାର ଗଢ଼ିଥିଲେ । ହେଲେ ୨୭ ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇ କେଉଁ ଆଡ଼େ ଚାଲିଯାଇଥିଲେ ସ୍ବପ୍ନେଶ୍ବର । ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀ ବିତାଇ ଦେଇଥିଲେ ୨୪ବର୍ଷ । ପରେ ସ୍ବପ୍ନେଶ୍ବରଙ୍କୁ ମୃତ ଭାବି ହିନ୍ଦୁ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିଥିଲେ । ମାତ୍ର ପରେ ସ୍ବପ୍ନେଶ୍ବର ରାଜସ୍ଥାନର ଭରତପୁରରେ ଥିବା ଜଣାପଡ଼ିଥିଲା । ସେଠାରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ ।