ପ୍ରତିଶ୍ରୁତି ପରେ IOCL ଶ୍ରମିକ ଆନ୍ଦୋଳନରେ ପଡିଛି ଯବନିକା

ପାରାଦୀପ: ଶେଷରେ ତିନିଦିନ ଧରି ଆଇଓସିଏଲରେ ଚାଲିଥିବା ଶ୍ରମିକ ଅଶାନ୍ତିରେ ପଡିଛି ଯବନିକା । ଶ୍ରମିକଙ୍କ ଶାନ୍ତି ପୂର୍ଣ୍ଣ କଳାପତାକା ପ୍ରଦର୍ଶନରେ ମୁଣ୍ଡ ନୁଆଁଇଛି ଆଇଓସିଏଲ । ୯ ଦଫା ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ଆଇଓସିଏଲ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଶ୍ରମିକମାନେ ।

କ୍ୟାଣ୍ଟିନ୍ ସୁବିଧା, ଯାତାୟତ ପାଇଁ ବସ ସୁବିଧା, ଗାଡ଼ି ପାର୍କିଂ, ପୁରୁଣା ଶ୍ରମିକ ମାନଙ୍କୁ ଛଟେଇ ନକରିବା ଆଦି ୯ ଦଫା ଦାବିକୁ ମାନି ନେଇଛନ୍ତି ଆଇଓସିଏଲ କର୍ତୃପକ୍ଷ । ପୂର୍ବରୁ ବହୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମିକ ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ତୈଳ ବିଶୋଧାନାଗାର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ କର୍ତୃପକ୍ଷ କିଛି ଦାବିକୁ ପୂରଣ କରିବାର ପ୍ରତିଶୃତି ଦେବାପରେ ସଂଗଠନ ମାନଙ୍କ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର ହେଉଥିଲା ।

ହେଲେ ଗତ କିଛି ଦିନ ଧରି ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡିକ ପ୍ରତି ତୈଳବିଶୋଧାନାଗାର କର୍ତୃପକ୍ଷଙ୍କ କୋହଳ ମନୋଭାବ ଦେଖାଯାଇଥିଲା । ଏଥିପାଇଁ ଶ୍ରମିକ ଅଶାନ୍ତି ତେଜିଥିଲା । ଫଳରେ ଦାବି ପୂରଣ ପାଇଁ ତିନି ଦିନ ହେଲା କଳାପତକା ପଦର୍ଶନ ସହିତ କଳା ବ୍ୟାଚ୍‌ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଶ୍ରମିକ ।

ମଙ୍ଗଳବାର ରାତିରେ ଆଇଓସିଏଲ କର୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରି ଜାନୁଆରୀ ମାସ ମଧ୍ୟରେ ଦାବୀ ପୂରଣ କରିବା ପ୍ରତିଶ୍ରୁତି ଦେଇଥିଲେ । ଫଳରେ ବୁଧବାର ସକାଳୁ ଏହି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରୁ ଶ୍ରମିକ ସଙ୍ଗଠନ ଓହରିବା ସହିତ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଏଥର ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବଦଳରେ ଆଇଓସିଏଲକୁ ଅର୍ଥ ନୈତିକ ଅବରୋଧ କରାଯିବ ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply