ଛୁଆ ମରିଯିବା ପରେ ମାଟି ତଳେ ଛୁଆକୁ ଖୋଜୁଛି ମାଆ ହାତୀ

କେନ୍ଦୁଝର : ମାଆର ଅନାବିଳ ମମତା ଓ ସ୍ନେହର ପଟ୍ଟାନ୍ତର ନାହିଁ । ମଣିଷ ହେଉ ଅବା ପଶୁ ସନ୍ତାନକୁ ହରାଇଲେ ମାଆ ଯେ ସବୁଠୁ ଅଧିକ ଦୁଃଖ ପାଇଥାଏ ତାହା କାହାକୁ ବା ଅଛପା । ସନ୍ତାନକୁ ମାଆ କେବେବି ଭୁଲି ପାରେ ନାହିଁ । ଆଉ ସେମିତି ଏକ ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଛି । ପାଖରୁ ଦେଖୁଥିବା ବାଟୋଇର ବି ଆଖି ଛଳ ଛଲ ହୋଇ ପଡ଼ୁଛି । କାରଣ ଛୁଆ ମରିଯିବା ପରେ ମାଟି ତଳେ ପୋତା ହୋଇଥିବା ଛୁଆକୁ ଖୋଜୁଛି ମାଆ ହାତୀ । ହୃଦୟକୁ ଆନ୍ଦୋଳିତ କରୁଥିବା ଏଭଳି  ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଯୋଡ଼ା ସେକ୍ସନ ଦଡୁଆଁ ଜଙ୍ଗଲରେ । ଛୁଆକୁ ହରାଇ ଏକ ମାଆହାତୀ ଦୁଃଖରେ ଭାଙ୍ଗି ପଡ଼ିଛ ।  ଛୁଆ  ପୋତା ହୋଇଥିବା ସ୍ଥାନର ଚାରିପାଖରେ ରାତିସାରା ବୁଲୁଛି ମାଆହାତୀ । ଗତ ରବିବାର ଏଠାରେ ୧୨ ଟିକିଆ ହାତୀପଲରୁ ଏକ ମାଈହାତୀ ଛୁଆ ଜନ୍ମ ଦେଇଥିଲା ।

ହେଲେ କୌଣସି କାରଣରୁ ହାତୀଛୁଆର ମୃତ୍ୟୁ ହୋଇଥିଲା । ଗତକାଲି ବନ ବିଭାଗ କର୍ମଚାରୀ  ହାତୀଛୁଆର ବ୍ୟବଛେଦ କରି ସେଠାରେ ପୋତି ଦେଇଥିଲେ । କିଛି ସମୟ ପରେ ମାଆହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲୁଥିବାର ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ମାଆହାତୀ । ଏଭଳି ଘଟଣା ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି ।