କରୋନା କଟକଣା ପରେ ଏବେ ଦାଉ ସାଜିଛି କାଳବୈଶାଖୀ ବର୍ଷା, ସରକାରଙ୍କ ସହାୟତା ଲୋଡ଼ିଲେ ଚାଷୀ

ଭୁବନେଶ୍ୱର: କରୋନା କଟକଣା ପରେ ଏବେ ଦାଉ ଜାଜିଛି କାଳବୈଶାଖୀ ବର୍ଷା । କିଛିଦିନ ପୂର୍ବରୁ ଲକ୍‌ଡାଉନ୍‌ କଟକଣା ପାଇଁ ଚାଷକାର୍ଯ୍ୟ ବନ୍ଦ ରହିଥିଲା । ହେଲେ ରାଜ୍ୟ ସରକାର ଚାଷୀଙ୍କ ହିତପାଇଁ ଚାଷକାର୍ଯ୍ୟ ଉପରୁ କଟକଣା କୋହଳ କରିଥିଲେ । ଚାଷୀ ନିଜ କ୍ଷେତକୁ ପୁଣି ଥରେ ଫେରିଥିଲା । ହେଲେ ଏବେ ଅଦିନିଆ ବର୍ଷା ଉଜାଡି ଦେଇଛି ଫସଲ । ଫଳରେ ଚାଷୀ ଏବେ ସରକାରଙ୍କ ସହାୟତା ଲୋଡିଛି । ସେପଟେ ଗତ ଶୁକ୍ରବାର ସରକାର ମଧ୍ୟ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କାଳବୈଶାଖୀ ବର୍ଷାରେ ବେହାଲ ଫସଲ, ଭାଙ୍ଗିଦେଲାଣି ଚାଷୀଙ୍କ ମେରୁଦଣ୍ଡ । ହେଲେ ଚଷା ପୁଅର ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ସରକାର । କ୍ଷୟକ୍ଷତିର ଆକଳନକରି ଅତିଶୀଘ୍ର କ୍ଷତିପୂରଣ ଦେବକୁ ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ । ଗତ କିଛିଦିନ ହେବ ଅଦିନିଆ କୁଆପଥର ବର୍ଷା ଯ଼ୋଗୁ ସମ୍ବଲପୁରରେ ଏକର,ଏକର ଫସଲ କ୍ଷତି ହୋଇଛି । ଜୁଜୁମୁରା, ଧନକଉଡା ଭଳି ଅନେକ ବ୍ଲକରେ ପାଣିରେ ବୁଡି ରହିଛି କଟା ଅପେକ୍ଷାରେ ଥିବା ଧାନ । ହେଲେ ସରକାରଙ୍କ ନିର୍ଦ୍ଦେଶ ପରେ କୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ଜିଲ୍ଲାରେ ପ୍ରାୟ ୪ ହଜାର ୨୦୦ ହେକ୍‌ଟର ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର, ସୋନପୁର ଓ ବରଗଡ ଜିଲ୍ଲାରେ ମଧ୍ୟ କୁଆପଥର ବର୍ଷାଯୋଗୁ ଫସଲ ନଷ୍ଟ ହୋଇଛି । କରୋନା କଟକଣା କୋହଳ ପରେ ଚାଷକାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ଏବେ ପୁଣି ହତାଶ ହୋଇଛି । ଏସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବାକୁ ଦାବି କରିଛନ୍ତି ଚାଷୀ । ତେବେ ଏପ୍ରିଲ୍‌ ୩୦ ରୁ ମେ’ ୩ ତାରିଖ ଭିତରେ ବଙ୍ଗୋପସାଗରରେ ସୃଷ୍ଟ ହେବାକୁଥିବା ଲଘୁଚାପ ପୁଣି ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

Leave a Reply