ସୁନାଖଣି ଆଡ଼ସ ପଞ୍ଚାୟତବାସୀଙ୍କ ମନରେ ଭରି ଦେଇଛି ଦୁଃଖ, ରାତିରେ ଲୋକଙ୍କୁ ହେଉନି ନିଦ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତବାସୀଙ୍କ ନିଦ ହଜି ଯାଇଛି । ଯେବେଠାରୁ ପଞ୍ଚାୟତ ଅଞ୍ଚଳରେ ସୁନା ଖଣି ଥିବା ସରକାର ଘୋଷଣା କରିଛନ୍ତି ସେବେଠାରୁ ଲୋକଙ୍କ ଆଖିକୁ ନିଦ ନାହିଁ । ଆପଣ ଭାବୁଥିବେ ନିଜ ଘରଡିହ ତଳେ ସୁନାଖଣି ଥିବା ଖୁସିରେ ଲୋକେ ଶୋଉ ନାହାନ୍ତି । ହେଲେ ଏହା ସତ ନୁହେଁ । ସୁନାଖଣି କଥା ଜଣାପଡ଼ିବା ପରେ ବିସ୍ଥାପିତ ହେବା କଥା ଚିନ୍ତା କରି ଆଖିରୁ ନିଦ ହଜି ଯାଇଛି ।

ସୂଚନାଯୋଗ୍ୟ, ଦେବଗଡ଼ର ଆଡସ ପଞ୍ଚାୟତ ଏକ ବ୍ରାଣ୍ଡ ପାଲଟି ଯାଇଛି । କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରେ ଏବେ ଏହି ପଞ୍ଚାୟତର ନାଁ । କାରଣ ପଞ୍ଚାୟତର ମାଟି ତଳେ ରହିଛି ସୁନାଖଣି । ସରକାରଙ୍କ ଘୋଷଣା ପରେ ଗାଁରେ ହେଉ କି ଛକ ବଜାରରେ ସବୁଠି କେବଳ ସୁନାଖଣି ଚର୍ଚ୍ଚା । ହେଲେ ଏହି ଚର୍ଚ୍ଚା ପଞ୍ଚାୟତବାସୀଙ୍କୁ ଖୁସି ଦେବା ବଦଳରେ ସେମାନଙ୍କ ହୃଦୟରେ ଭରିଦେଇଛି ଦୁଃଖ । ସୁନା ଖଣିରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେଲେ ସେମାନଙ୍କୁ ବିସ୍ଥାପିତ ହେବା ଆଶଙ୍କା ଘାରିଛି । ଏପରିକି ରାତିରେ ନିଦ ହେଉ ନଥିବା ବୟୋଜେଷ୍ଠ ବ୍ୟକ୍ତିମାନେ କହିଛନ୍ତି ।

ବିଧାନସଭାରେ ଆଡସ ପଞ୍ଚାୟତରେ ସୁନାଖଣି ବାହାରିବା ଘଟଣା ଆଲୋଚନା ହେବା ପରେ ଆଗକୁ ଏହାର ନିଲାମୀ କରାଯିବା ନେଇ ମନ୍ତ୍ରୀଙ୍କ ଘୋଷଣା ଅଞ୍ଚଳବାସୀଙ୍କ ମନରେ ଛନକା ଭରି ଦେଇଛି । ଏବେ ପିଲାଛୁଆଙ୍କ ଭବିଷ୍ୟତକୁ ନେଇ ସନ୍ଦିହୀନ ହୋଇପଡ଼ିଛନ୍ତି ପଞ୍ଚାୟତବାସୀ ।