ହ୍ୱିଲ୍‌ ଚେୟାରରୁ ଗୋଲ୍ଡ ମେଡାଲ, ୯ ବର୍ଷ ପୂର୍ବରୁ ହରାଇଥିଲେ ଦୁଇଟିଜାକ ଗୋଡ଼

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ସୁଟିଂରେ ପ୍ରଥମ ଥର ପାଇଁ ଇତିହାସରେ ଭାରତ ହାତେଇଛି ସ୍ୱର୍ଣ୍ଣ।  ସୁନା ଜିତିଛନ୍ତି ସୁନା ଝିଅ ଅବନୀ ଲେଖାରା। ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ। ଜୟପୁରର ଅବନୀ ଲେଖାରା ଚୀନର ଝାଙ୍ଗ କୁଇପିଙ୍ଗ ଓ ୟୁକ୍ରେନର ଇରିୟାନାଙ୍କୁ ହରାଇଛନ୍ତି।

ସୁନା ଝିଅ ଅବନୀଙ୍କ ଜୀବନରେ ଆସିଛି ଅନେକ ଝଡ଼ଝଞ୍ଜା। ଅନେକ ବାଧାବିଘ୍ନକୁ ଖାତିର ନକରି ଜୀବନର ଯୁଦ୍ଧରେ ଆଗେଇ ଚାଲିଛନ୍ତି। ଆଜି ପାରା ଅଲମ୍ପିକରେ ବାହା ବାହା ନେଉଥିବା ଅବନୀଙ୍କ ଜୀବନ ଏତେ ସହଜ ନଥିଲା। ଜୟପୁରର ବାସିନ୍ଦା ଅବନୀଙ୍କର ୯ ବର୍ଷ ପୂର୍ବରୁ ଏକ କାର ସହ ଦୁର୍ଘଟଣା ହୁଏ। ଏହି ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ସରଳରୁ ମନ୍ଥର ଆଡ଼କୁ ନେଇଯାଏ। ଚେତାଶୂନ୍ୟ ହୋଇପଡ଼ିଥିବା ଅବନୀଙ୍କ ଚେତା ଫରିବା ବେଳକୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କାରଣ ସେ ତାଙ୍କର ଦୁଇଟିଯାକ ଗୋଡ ଦୁର୍ଘଟଣାରେ ହରାଇ ବସିଥିଲେ। ଏହାପରେ ଅବନୀଙ୍କ ସାହାର ପାଲଟିଥିଲେ ହ୍ୱିଲ ଚେୟାର।

ପୂର୍ବରୁ ହସ ଖୁସିରେ କଟୁଥିବା ଜୀବନ ସ୍ଥାଣୁ ପାଲଟିଯାଇଥିଲା। ଦୁର୍ଘଟଣା ପରେ ସବୁବେଳେ ଚୁପଚାପ ରହୁଥିଲେ ଅବନୀ। ଜୀବନର ରାସ୍ତାରେ ପୁରା ଭାଙ୍ଗିପଡ଼ିଥିଲେ। ଅବନୀଙ୍କ ଦୁଃଖରେ ପରିବାର ଲୋକ ମଧ୍ୟ ଭାଙ୍ଗି ପଡ଼ିଥିଲେ। ଏହାପରେ ଅବନୀଙ୍କୁ ଖେଳରେ ଭର୍ତ୍ତି କରିବା ପାଇଁ ତାଙ୍କ ବାପା ଚିନ୍ତା କରିଥିଲେ। ପ୍ରଥମେ ତୀରନ୍ଦାଜରେ ଚେଷ୍ଟା କରାଯାଇଥିଲା, କିନ୍ତୁ ଅବନୀ ଏତେ ଦୁର୍ବଳ ହୋଇପଡ଼ିଥିଲେଯେ ସେ ଦଉଡି ଟାଣି ପାରିନଥିଲେ। ଏହା ପରେ ତାଙ୍କୁ ସୁଟିଂ ବା ବନ୍ଧୁକ ଚାଳନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ପ୍ରଥମେ ଅବନୀଙ୍କୁ ବନ୍ଧୁକ ଉଠାଇବା ପାଇଁ ବହୁତ କଷ୍ଟ ହେଉଥିଲା। କିନ୍ତୁ ଆଜି ଟୋକିଓ ପାରାଲିମ୍ପିକ୍ସ ପୋଡିୟମରେ ଅବନୀଙ୍କ ପାଇଁ ଜାତୀୟ ସଂଗୀତ ସ୍ୱର ଗୁଞ୍ଜରିତ ହୋଇଛି।

ଦୁର୍ଘଟଣା ପରେ ଅବନୀଙ୍କ ମନକୁ ଖୁସି କରିବା ପାଇଁ ତାଙ୍କୁ ସୁଟିଂ ଶିଖିବା ପାଇଁ ନିଆଯାଉଥିଲା। ସେହିଠାରୁ ସେ ଜୀବନର ହଜିଯାଇଥିବା ଲକ୍ଷକୁ ବନ୍ଧୁକ ମୁନରେ ଖୋଜିବା ଆରମ୍ଭ କରିଥିଲେ। ଅଧିକରୁ ଅଧିକ ସମୟ ବନ୍ଧୁ ଚାଳନାରେ ଅଭ୍ୟାସ କରିବାକୁ ଲାଗିଲେ। ଯେପର୍ଯ୍ୟ ସେ ନ ଥକିଛନ୍ତି ସେପର୍ଯ୍ୟନ୍ତ ଅଭ୍ୟାସ କରୁଥିଲେ ଅବନୀ। କୋଭିଡ ସମୟରେ ମଧ୍ୟ ଅଟକି ନଥିଲେ ସେ। ଯେତେବେଳେ ସୁଟିଂ ରେଞ୍ଜ ବନ୍ଦ ହୋଇଯାଇଥିଲା, ସେତେବେଳେ ଘରକୁ ଡିଜିଟାଲ ଟାର୍ଗେଟକୁ ଆଣିବାକୁ ବାଧ୍ୟ କରିଥିଲେ ଏବଂ ଅଭ୍ୟାସକୁ ଜାରି ରଖିଥିଲେ।

ପାରାଲିମ୍ପିକ୍ ଇତିହାସରେ ଭାରତ ପାଇଁ ମହିଳା ଆଣିଛନ୍ତି ତୃତୀୟ ପଦକ। ପୂର୍ବରୁ ସଟ୍  ପୁଟରେ ଦୀପା ମଲିକ୍ ଏବଂ ଟେବୁଲ୍ ଟେନିସରେ ଭବୀନା ପଟେଲ।

 

Leave a Reply