ପୁଟିନଙ୍କ ସହ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୂଚନା, ୟୁକ୍ରେନ ପାଇଁ ବାକି ଅଛି ଆହୁରି ଦୁର୍ଦ୍ଦିନ

1 min read

ମସ୍କୋ: ଦଶମ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଏବେ ବି କୂଟନୈତିକ ସମାଧାନ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରୁନାହିଁ । ଋଷର କହିବା କଥା ୟୁକ୍ରେନ୍‌ ସବୁ ସର୍ତ୍ତ ମାନିଲେ ଯୁଦ୍ଧରେ ବିରାମ ଲାଗିପାରିବ । କିନ୍ତୁ ୟୁକ୍ରେନ୍‌ ସରକାର ମାନିବାକୁ ନାରାଜ । ସେପଟେ ଋଷ ଗଣମାଧ୍ୟମ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଯାହାକୁ ୟୁକ୍ରେନ୍‌ ଗଣମାଧ୍ୟମ ଖଣ୍ଡନ କରିଛନ୍ତି ।

ଏ ସବୁ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ପ୍ରାୟ ୯୦ ମିନିଟର କଥାବାର୍ତ୍ତା ପରେ ଫ୍ରାନ୍ସ ରାଷ୍ଟ୍ରପତି ଯେଉଁ ସୂଚନା ଦେଇଛନ୍ତି ତାହା ୟୁକ୍ରେନ ପାଇଁ ଚିନ୍ତାଜନକ । ୟୁକ୍ରେନ ପାଇଁ ଆହୁରି ଦୁର୍ଦ୍ଦିନ ବାକି ଅଛି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ନାହାନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ହେଲେ ଅଧିକ ମାନବୀୟ କ୍ଷତିକୁ ରୋକିବା ପାଇଁ ମସ୍କୋ ସହିତ ଲଗାତର ଆଲୋଚନା ଜାରି ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ସୂଚନା ଦେଇଛନ୍ତି  ।

ଅପ୍ୟପକ୍ଷରେ ଭାରତ ସରକାର ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଛନ୍ତି । ଆଜି ୧୬ଟି ସ୍ୱତନ୍ତ୍ର ବିମାନରେ ଭାରତୀୟଙ୍କୁ ଫେରାଇ ଅଣାଯିବ । ଆର୍ମେନିଆ ସୀମାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଲେଣି ବୋଲି ସୂଚନା ଦେଇଛି କେନ୍ଦ୍ର ସରକାର ।

 

Leave a Reply