ଆଉ କିଛି ସମୟ ପରେ ଆରମ୍ଭ ହେବ ଏନଡିଏ ସରକାରଙ୍କ ଶପଥଗ୍ରହଣ ସମାରୋହ

ନନ୍ଦିଘୋଷ ବ୍ୟୁରୋ : ମୋଦି ସରକାର ୩.୦। ଆଉ କିଛି ସମୟ ପରେ ଆରମ୍ଭ ହେବ ଏନଡିଏ ସରକାରଙ୍କ ଶପଥଗ୍ରହଣ ସମାରୋହ। ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ଆଜି ମନ୍ତ୍ରିମଣ୍ଡଳରେ ୬୯ ଜଣ ମନ୍ତ୍ରୀ ଶପଥ ନେଉଥିବା ଜଣାପଡ଼ିଛି। ଏଥିଲାଗି ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ହୋଇଛି। ଶପଥଗ୍ରହଣ ସମାରୋହରେ ଉପସ୍ଥିତ ଅଛନ୍ତି ଏନଡିଏ ସାଂସଦଙ୍କ ସହ ଆମନ୍ତ୍ରିତ ଅତିଥି। ଶପଥଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉତ୍ସବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗାୟ ଯୋଗ ଦେଇଛନ୍ତି। ଉତ୍ସବରେ ଦେଶର ଅନେକ ଆମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଅଦାନୀ, ଅନନ୍ତ ଅମ୍ବାନୀ, ଅଭିନେତା ଶାହରୁଖ ଖାନ,ଅକ୍ଷୟ କୁମାର, ରଜନୀକାନ୍ତଙ୍କ ଅନେକ ଅଭିନେତା, ଅଭିନେତ୍ରୀ ପ୍ରମୁଖ ଯୋଗ ଦେଇଛନ୍ତି। ଶିଳ୍ପପତି ଅନନ୍ତ ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଅଛନ୍ତି।