୮ ବର୍ଷରେ ୪୪ ଦୋଷୀଙ୍କ ୩୨ କ୍ଷମା ଆବେଦନ ଖାରଜ: ଫାଶୀ ପାଇଛନ୍ତି ୩ ଜଣ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ଜଣେ ପରିବାର ୬ ଜଣ ସଦସ୍ୟଙ୍କ ହତ୍ୟା ମାମଲାର ଦୋଷୀ ଜଗତ ରାୟର କ୍ଷମା ଆବେଦନକୁ ଖାରଜ କରିଥିଲେ ।

କୌଣସି ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହେବ ପରେ ଫାଶୀ ପାଇବା ଏକ ପ୍ରକାର ଥୟ । କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁଲାଇ ୨୦୧୨ଠାରୁ ଏଯାଏଁ ୪୪ ଦୋଷୀଙ୍କ ମଧ୍ୟରୁ ୩୨ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଏଥିମଧ୍ୟରୁ କେବଳ ୩ ଜଣଙ୍କୁ ଫାଶୀ ହୋଇଥିବା ବେଳେ ୭ ଜଣ ଦୋଷୀଙ୍କ ଦଣ୍ଡାଦେଶରେ ପରିବର୍ତ୍ତନ କରାଯାଇଛି । ଫାଶୀ ଦଣ୍ଡାଦେଶକୁ ଅଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଛି । ତେବେ ଫାଶୀ ପାଇଥିବା ୩ ଜଣ ହେଲେ  ଅଜମଲ କସାବ, ଅଫଜଲ୍ ଗୁରୁ ଓ ୟାକୁବ ମେନନ୍‌ ।

ଅଜମଲ କସାବ: ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କୀ ଅଜମଲ କସାବ ୧୫ ନଭେମ୍ୱର ୨୦୧୨ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । କିନ୍ତୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଖାରଜ କରିଥିଲେ ।

୨୬ ନଭେମ୍ୱର ୨୦୦୮ରେ ହୋଇଥିବା ମୁମ୍ୱାଇ ଆକ୍ରମଣ ଘଟଣାରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । କସାବ ୨୧ ନଭେମ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା ।

ଅଫଜଲ୍‌ ଗୁରୁ: ସଂସଦ ଉପରେ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ୧୩ ଡିସେମ୍ୱର ୨୦୦୧ରେ ୫ ଆତଙ୍କୀ ସଂସଦ ପରିସରକୁ ଭିତରକୁ ପଶି ଆଖିବୁଝା ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁ ୨୦୧୧ରେ ରାଜକ୍ଷମା ନେଇ ଆବେଦନ କରିଥିଲେ ।

୩ ଫେବ୍ରୁଆରୀ ୨୦୧୩ରେ ଏହା ଖାରଜ ହୋଇଥିଲା । ଏହା ପରେ ୯ ଫେବ୍ରୁଆରୀ ୨୦୧୩ରେ ଆଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା ।

ୟାକୁବ ମେନନ୍: ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ୱାଇରେ ୧୨ ସିରିଏଲ୍‌ ବ୍ଳାଷ୍ଟ ହୋଇଥିଲା । ଏଥିରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ । ଆକ୍ରମଣର ମୁଖ୍ୟ କାର୍ପୋଟଦାର ୟାକୁବ ମେନନ୍‌ ୧୪ ମାର୍ଚ୍ଚ ୨୦୧୪ରେ ରାଜକ୍ଷମା ପାଇଁ ଆବେଦନ କରିଥିଲା । ୧୧ ଆପ୍ରେଲ ୨୦୧୪ରେ ଏହାକୁ ଖାରଜ କରିଦିଆଯାଇଥିଲା । ଏହା ପରେ ପୁଣି ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ୨୯ ଜୁଲାଇ ୨୦୧୫ରେ ପୁଣି ରାଜକ୍ଷମା ପାଇଁ ଆବେଦନ କରାଯାଇଥିଲା ।

କିନ୍ତୁ ପୁଣି ଖାରଜ ହୋଇଥିଲା ଆବେଦନ । ୟାକୁବ ମେନନ୍‌ର ଓକିଲ ଫାଶୀକୁ ଅଟକାଇବା ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲା ।  ରାତି ୩ଟାରେ ବସିଥିଲା କୋର୍ଟ । କିନ୍ତୁ ପୁଣି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ । ଆଉ ୟାକୁବ ମେନନର ଜନ୍ମଦିନ ୩୦ ଜୁଲାଇ ୨୦୧୫ରେ ଦିଆଯାଇଥିଲା ଫାଶୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ଯାଏଁ ୨ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଜଗତ ରାୟ ଓ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଜଣେ ଦୋଷୀ  ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି ।

ବିଗତ ୮ ବର୍ଷ ମଧ୍ୟରେ ୪ ଜଣ ମହିଳାଙ୍କ କ୍ଷମା ଆବେଦନ ଖାରଜ ହୋଇଛି । ଏହି ମହିଳାଙ୍କ ମଧ୍ୟରେ ୨ ଭଉଣୀ ମଧ୍ୟ ରହିଛନ୍ତି । ଏହି ୨ ଭଉଣୀ ହେଲେ ରେଣୁକା ସିନ୍ଧେ ଓ ସୀମା ଗୋବିତ । ସେମାନେ ନିଜ ମା’ ଅଞ୍ଜନା ଗୋବିତଙ୍କ ସହ ମିଶି ୧୯୯୦ରୁ ୧୯୯୬ ମଧ୍ୟରେ ପୁନେର ୪୨ ଜଣ ଶିଶୁଙ୍କୁ ହତ୍ୟା କରିଛନ୍ତି । ୧୯୯୮ରେ ଅଞ୍ଜନା ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ୨  ଭଉଣୀଙ୍କୁ  ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏମାନେ ୨୦୧୩ ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । ୭ ଜୁଲାଇ ୨୦୧୪ରେ ଖାରଜ ହୋଇଥିଲା

ସମ୍ପତ୍ତିକୁ ନେଇ ନିଜ ପିତାଙ୍କ ସମେତ ୮ଜଣଙ୍କୁ ହତ୍ୟା କରିଥିବା ସୋନିଆଙ୍କ ରାଜ କ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି । ସେ ନିଜ ସ୍ୱାମୀ ସଞ୍ଜୀବଙ୍କ  ମିଶି ଏହି ହତ୍ୟାକାଣ୍ଡ  ଭିଆଇଥିଲେ । ୨୯ ଜୁନ୍ ୨୦୧୩ରେ ଉଭୟଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଫାଶୀ ଦିଆଯାଇନାହିଁ ।

ଶବନମ୍‌ ନାମକ ଜଣେ ମହିଳାଙ୍କ ମଧ୍ୟ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଅପ୍ରେଲ୍‌ ୨୦୦୮ରେ ନିଜ ପ୍ରେମିକ ସଲିମ୍‌ ସହ ମିଶି ନିଜ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରିଥିଲେ । ତାଙ୍କ ପରିବାର ଲୋକ ତାଙ୍କ ବାହାଘରକୁ ବିରୋଧ କରିଥିଲେ । ସେମାନଙ୍କୁ ମାନ୍ୟବର କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ୭ ଅଗଷ୍ଟ ୨୦୧୬ରେ ସେମାନଙ୍କ ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି ।

ଆଇନ ବିଷାରଦଙ୍କ କହିବା ହେଲା ଯେ, ରାଜକ୍ଷମା ଖାରଜ ପରେ ଫାଶୀ ଦେବାରେ ବିଳମ୍ୱର ୨ ଟି କାରଣ ରହିଛି ।

୧. ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପରେ ଯଦି ପୁଣି ମାମଲା କୋର୍ଟକୁ ଆସିଯାଇଥିବ ।  ଯେଉଁଥି ପାଇଁ ଦୋଷୀଙ୍କ ନାଁରେ ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇ ପାରିନଥିବ ।

୨. କିଛି ଦୋଷୀ ବିରୋଧରେ ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତ କରାଯାଇ ତାକୁ ଆଜୀବନ କାରାଦଣ୍ଡ କରାଯାଇଛି । ୧୯୯୩ ଦିଲ୍ଲୀ ବିସ୍ଫୋରଣ ମାମଲାର ଦୋଷୀ ଦେବେନ୍ଦ୍ର ପାଲ ସିଂହ ଭୁଲ୍ଲଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଯାଇଥିଲା । ଆଉ ତାଙ୍କ ଦ୍ୱାରା ଆବେଦନ ରାଜ କ୍ଷମା ଆବେଦନ ଖାରଜ ହେବାରେ ୮ ବର୍ଷ ସମୟ ଲାଗିଥିଲା । ୨୦୦୩ରେ ଆବେଦନ କରିଥିବା ବେଳେ ୨୦୧୧ ଖାରଜ ହୋଇଥିଲା । ପରେ ୨୦୧୪ରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ପ୍ରତି ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Leave a Reply