ନୀତି ଆୟୋଗଙ୍କ ପରେ ନବୀନଙ୍କ ଆର୍ଥିକ ପ୍ରଗତିକୁ ସିଏଜିଙ୍କ ମୋହର
1 min read
ଭୁବନେଶ୍ବର: ନବୀନଙ୍କ ଶାସନ କାଳରେ ଓଡ଼ିଶାର ଅଭିବୃଦ୍ଧି ୧୨.୩୭ ଥିଲା । ରାଜ୍ୟର ଆର୍ଥିକ ସୁପରିଚାଳନାକୁ ନୀତି ଆୟୋଗଙ୍କ ପରେ ପ୍ରଶଂସା କରିଛନ୍ତି ଭାରତର ମହାଲେଖାକାର । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଦ୍ୟ ପ୍ରକାଶିତ ଆର୍ଥିକ ପ୍ରତିବେଦନରେ ସିଏଜି ପୂର୍ବ ସରକାରଙ୍କ ସଫଳତାକୁ ବଖାଣିଛନ୍ତି । ଅନାଟନ ଅର୍ଥନୀତିକୁ ବଳକା ଅର୍ଥନୀତିରେ ପହଞ୍ଚାଇଥିଲେ ନବୀନ । ବିଶେଷଜ୍ଞ କହିଛନ୍ତି, ରାଜ୍ୟର ଦାରିଦ୍ର୍ୟତାକୁ ସମୂଳେ ବିନାଶ କରିବା ପାଇଁ ୩ଟି ମୁଖ୍ୟ ଦିଗ ଉପରେ କାମ କରିଥିଲେ ପୂର୍ବ ସରକାର । ରାଜ୍ୟର ଆର୍ଥିକ ପ୍ରଗତି ସହିତ ସମସ୍ତଙ୍କ ଆର୍ଥିକ ବିକାଶ । ଭୋକର ଭୂଗୋଳକୁ ପ୍ରାଚୁର୍ଯ୍ୟରେ ପରିଣତ । ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଶେଷ ଗୁରୁତ୍ବ ଦେଇଥିବାରୁ ନବୀନଙ୍କ ଶାସନରେ ସମ୍ଭବ ହୋଇପାରିଛି ଆର୍ଥିକ ପ୍ରଗତି ।
ନୀତି ଆୟୋଗଙ୍କ ପରେ ଖୋଦ ଭାରତର ମହାଲେଖାକାର ବା ସିଏଜି ତାଙ୍କ ଆର୍ଥିକ ପ୍ରତିବେଦନରେ ପୂର୍ବ ସରକାରଙ୍କ ଆର୍ଥିକ ସୁପରିଚାଳନାର ହିସାବ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷର ହିସାବ ଦେଇ ସିଏଜି କହିଛନ୍ତି ଯେ, ଲଗାତାର ଭାବେ ଓଡ଼ିଶାର ଅଭିବୃଦ୍ଧି ହାର ୧୨.୩୭ ପ୍ରତିଶତ ରହିଛି । ରାଜସ୍ବ ବଳକା ୩୦ ହଜାର ୭୬୧ କୋଟି ରହିଥିବା ବେଳେ, ବିତ୍ତୀୟ ନିଅଣ୍ଟ ପରିମାଣ ନିୟମାନୁଯାୟୀ ଥିଲା ୧୪ ହଜାର ୭୪୩ କୋଟି ଟଙ୍କା । ସେହିପରି ରାଜସ୍ବ ବଳକା ପୂର୍ବ ବର୍ଷ ତୁଳନାରେ ବଢିଥିଲା ୫୮.୧୧ ପ୍ରତିଶତ । ରାଜସ୍ବ ସଂଗ୍ରହ ୨୯ ହଜାର ୧୩୧କୁ ବୃଦ୍ଧି ପାଇଥିବା ବେଳେ, ପୁଞ୍ଜିଗତ ବ୍ୟୟ ପ୍ରାୟ ୪୦ ହଜାର କୋଟିରେ ପହଞ୍ଚିଥିଲା । ଯାହାକି ତତ୍କାଳୀନ ବଜେଟର ଏକ ତୃତୀୟାଂଶ । ବିଶେଷକରି ୨୦୧୯ରୁ ୨୦୨୪ ଭିତରେ ରାଜ୍ୟର ଭିତ୍ତିଭୂମି ବିକାଶ ଏପରି କରାଯାଇଥିଲା ଯେ, ଆଗାମୀ ୫୦ ବର୍ଷ ଭିତରେ ଯିଏ ବି ସରକାରରେ ରହିବ ରାଜ୍ୟର ଆର୍ଥିକ ପ୍ରଗତି କ୍ଷେତ୍ରରେ ମନ୍ଥରତା ଆସିବନି । ନବୀନଙ୍କ ଆର୍ଥିକ ସୁପରିଚାଳନା ଦେଶରେ ଏକ ନମ୍ବର ବୋଲି ଦାବି କରିଛନ୍ତି ପୂର୍ବତନ ବିଧାୟକ ଓ ଅର୍ଥନୀତି ବିଶେଷଜ୍ଞ ।
୨୦୦୦ ମସିହାରେ ଦେବାଳିଆ ସ୍ଥିତିରେ ଥିଲା ଓଡ଼ିଶା । ୧୯୯୯ ମହାବାତ୍ୟାରେ ଅଧାରାଜ୍ୟ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା । ସେତେବେଳେ ଋଣ ଶୁଝିବାକୁ ଋଣ କରିବାକୁ ପଡୁଥିଲା । କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥର ଅଭାବ ପଡ଼ୁଥିଲା । କ୍ରୀଡ଼ା ଓ ଭିତ୍ତିଭୂମି କଥା ଛାଡ଼ନ୍ତୁ, ଜଳସେଚନ ଅଭାବରୁ ଅଧା ଉପାନ୍ତ ଅଞ୍ଚଳରେ ଅନାହାରର ବିଭିଷୀକା ଦେଖିବାକୁ ମିଳିଥିଲା । ଏତିକି ବେଳେ, ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାକୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତିକି ନୁହେଁ, କିପରି ଦୁର୍ବିପାକକୁ ସଫଳତାର ସହ ମୁକାବିଲା କରିହେବ, ସେ ନେଇ କରିଥିଲେ ବିଦ୍ଧିବଦ୍ଧ ଯୋଜନା । ଗରିବଙ୍କ ପେଟକୁ ଦାନା, ମହିଳାଙ୍କୁ ଆତ୍ମନିର୍ଭର କରିବା ଥିଲା ନବୀନ ସରକାରଙ୍କ ମୂଳ ଆଭିମୁଖ୍ୟ । ସ୍ଥିତି ଏମିତି ହେଲା, ୨୦୦୬-୦୭ ବେଳକୁ ରାଜ୍ୟ ନିଅଣ୍ଟିଆ ସ୍ଥିତିରୁ ବଳକା ରାଜ୍ୟରେ ପରିଣତ ହୋଇଥିଲା ।
କେବଳ କଥାରେ ନୁହଁ କାମରେ । ଏହା ହିଁ ଥିଲା ନବୀନ ଶାସନର ମୂଳମନ୍ତ୍ର । ସିଏଜିଙ୍କ ଆର୍ଥିକ ପ୍ରତିବେଦନ ପ୍ରମାଣ କରୁଛି, ପୂର୍ବ ସରକାରଙ୍କ ସ୍ବଚ୍ଛ ଆର୍ଥିକ ପରିଚାଳନା ।