ନେପାଳ ଓ ଫ୍ରାନ୍ସ ପରେ ଏବେ ଲଣ୍ଡନରେ ଜଳୁଛି ବିଦ୍ରୋହର ନିଆଁ : ପତାକା ବ୍ୟାନର ଧରି ଜୋରଦାର ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ନେପାଳ, ଫ୍ରାନ୍ସ ପରେ ଏବେ ବ୍ରିଟେନ । ପ୍ରବାସୀ ବିରୋଧୀ କର୍ମୀ ଟମି ରବିନସନଙ୍କ ନେତୃତ୍ବରେ ଦକ୍ଷିଣପନ୍ଥୀମାନେ ଲଣ୍ଡନରେ କରିଛନ୍ତି ବଡ଼ ଧରଣର ବିକ୍ଷୋଭ । ଏଥିରେ ସାମିଲ ହୋଇଛନ୍ତି ଲକ୍ଷାଧିକ କର୍ମୀ । କେତେକ ସ୍ଥାନରେ ଭଙ୍ଗାରୁଜା ବି ହୋଇଛି । ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ୟୁନାଇଟ ଦି କିଙ୍ଗଡମ ନାମରେ ଏହି ଅଭିଯାନକୁ ନେଇ ବ୍ରିଟେନ ରାଜନୀତିରେ ଦେଖାଯାଇଛି କମ୍ପନ । ଷ୍ଟାଣ୍ଡ ଅପ୍ ଟୁ ରାସିଜିମ୍ ପକ୍ଷରୁ ୫ ହଜାର ଲୋକଙ୍କୁ ନେଇ ପ୍ରତିବାଦ କରାଯିବା ଘଟଣାର ଜବାବରେ ୟୁନାଇଟ ଦି କିଙ୍ଗଡମ ପ୍ରତିବାଦ କରାଯାଇଛି । ଏହି ଆନ୍ଦୋଳନବେଳେ କିଛି ଅଫିସରଙ୍କୁ ଆନ୍ଦୋଳନକାରୀ ଆକ୍ରମଣ କରିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀଙ୍କ ହାତରେ ବ୍ରିଟେନ, ଆମେରିକା ଓ ଇସ୍ରାଏଲ ପତାକା ଦେଖିବାକୁ ମିଳିଥିବାବେଳେ ସେମାନେ ପ୍ରବାସୀ ରହୁଥିବା ହୋଟେଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀମାନେ ପିନ୍ଧିଥିବା ଟୋପିରେ ମେକ୍ ଆମେରିକା ଗ୍ରେଟ ଏଗେନ ଲେଖାଥିବାବେଳେ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇଦେବା ଲାଗି ସେମାନେ ଦାବି କରିଛନ୍ତି । ଏହି ଆନ୍ଦୋଳନକୁ ନେଇ ଅଡୁଆରେ ପଡିଛନ୍ତି ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର । ଆନ୍ଦୋଳନକାରୀମାନେ ସେମାନଙ୍କ ସନ୍ତାନକୁ ବି ଏଥିରେ ସାମିଲ କରିଥିବା ଦେଖାଯାଇଛି । ଟମି ରବିନସନଙ୍କ ପ୍ରକୃତ ନାମ ଷ୍ଟିଫେନ ୟାକ୍ସଲେ ଲେନନ । ସେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ବିଶେଷ ଉଦ୍ୟମ କରୁଛନ୍ତି । ଆମେରିକାରେ ବିଶିଷ୍ଟ ରାଜନେତିକ କର୍ମୀ ଚାର୍ଲି କିର୍କଙ୍କୁ ହତ୍ୟା ଘଟଣା ପରେ ଏହାର ପ୍ରଭାବ ବି ପଡ଼ିଛି ବ୍ରିଟେନରେ । ରବିନସନଙ୍କ ଏହି ରାଲିକୁ କିନ୍ତୁ ସମର୍ଥନ ଦେଇନାହିଁ ବ୍ରିଟେନର ସର୍ବବୃହତ ପ୍ରବାସୀ ବିରୋଧୀ ରାଜନୈତିକ ଦଳ ରିଫର୍ମ ୟୁକେ । ଦେଶରେ ଚାଲିଥିବା ବେଆଇନ ଇମିଗ୍ରେସନକୁ ଏହି ସଂଗଠନ ତୀବ୍ର ବିରୋଧ କରିଆସୁଛି । ଆନ୍ଦୋଳନକୁ ନେଇ ଲଣ୍ଡନେ ସହସ୍ରାଧିକ ପୋଲିସ ପୋଲିସ ଅଫିସରଙ୍କୁ ମୁତୟନ କରାଯାଇଛି ।

ଟମି ରବିନସନ ଏବେ ବ୍ରିଟେନରେ ଚର୍ଚ୍ଚିତ ନାମ । ବିଭିନ୍ନ ମାମଲାରେ ଜେଲ ଜୀବନ କଟାଇଥିବା ରବିନସନ ଏବେ ବ୍ରିଟେନରେ ପାଲଟିଛନ୍ତି ଆଇକନ । ପ୍ରବାସୀ ବିରୋଧୀ ଆନ୍ଦୋଳନରେ ନେତୃତ୍ବ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ରବିନସନଙ୍କ ପ୍ରକୃତ ନାମ ଷ୍ଟିଫେନ ୟାକ୍ସଲେ ଲେନନ । ସେ ଇସଲାମ ବିରୋଧୀ ଏବଂ ପ୍ରବାସୀଙ୍କ ବ୍ରିଟେନ ଆଗମନକୁ ବିରୋଧ କରିଥାନ୍ତି । ୨୦୦୯ରେ ରବିନସନ ପ୍ରତିଷ୍ଠା କରିଥିଲେ ଇଂଲିଶ ଡିଫେନ୍ସ ଲିଗ୍ । ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ହେବା ପରେ ଏହି ସଂଗଠନ ବଦନାମ ମୁଣ୍ଡାଇଥିଲା । ୨୦୧୩ରେ ଇଂଲିଶ ଡିଫେନ୍ସ ଲିଗରୁ ସେ ଇସ୍ତଫା ଦେଇଥିଲେ । ଅନଲାଇନରେ ବିଭିନ୍ନ ପ୍ରସଙ୍ଗରେ ଜାଗରଣ ସୃଷ୍ଟି କରିଥାନ୍ତି ରବିନସନ । ରବିନସନଙ୍କ ନାଁରେ ଅଛି ଜାଲିଆତି ସମେତ କିଛି ଅପରାଧିକ ମାମଲା ।