ମମତା ଓ ନୀତିଶଙ୍କ ପରେ କେଜ୍ରିଓ୍ୱାଲଙ୍କୁ ସମର୍ଥନ ଦେଲେ ଉଦ୍ଧବ ଠାକେରେ

ନୂଆଦିଲ୍ଲୀ: ନୀତିଶ ଓ ମମତାଙ୍କ ପରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । କେନ୍ଦ୍ରର ମନମାନୀ ବିରୋଧରେ ଏକ ହେଉଛନ୍ତି ବିରୋଧୀ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି କେଜ୍ରିଓ୍ବାଲ । ସନ୍ଧ୍ୟାରେ ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛି ।

ଗତକାଲି କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ବଦଳାଇବା ପାଇଁ ଅସମ୍ବିଧାନିକ ଭାବେ ଅଧ୍ୟାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରେ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ ଏହାକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍‌ କରାଇ ନଦେବାକୁ ସବୁ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।