ମାଲକାନଗିରିରୁ ଆରମ୍ଭ ଯାଜପୁରରେ ଶେଷ

ଯାଜପୁର: ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ସବୁ ଜିଲ୍ଲାକୁ ଛୁଇଁବ ସ୍ବାସ୍ଥ୍ୟ ବିପ୍ଳବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଛୁଇଁବ ମାଇଲଖୁଣ୍ଟ । ବିଏସକେଓ୍ବାଇ ଯୋଜନାରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ଯାଜପୁର ଜିଲ୍ଲାରେ ଶେଷ ହେବ । ଆଜି ଦୁଇ ଜିଲ୍ଲା କେନ୍ଦ୍ରାପଡ଼ା ଓ ଯାଜପୁରବାସୀ ପାଇବେ ସ୍ମାର୍ଟ ହେଲଥ୍ କାର୍ଡ ।

ସକାଳ ୧୧ଟା ୩୦ରେ ପ୍ରଥମେ କେନ୍ଦ୍ରାପଡାବାସୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାରେ ୩ ଲକ୍ଷ ୮ ହଜାର ପରିବାର ଉପକୃତ ହେବେ । ଏହାସହିତ କେନ୍ଦ୍ରାପଡ଼ା ଦେଖିବ ବିକାଶର ନୂଆ ସୂର୍ଯ୍ୟ । ଜିଲ୍ଲାବାସୀଙ୍କୁ ୧୫ ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଶତାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହିତ ଉଦଘାଟନ କରାଯିବ । ସେବା ଆଉ ବିକାଶର ଉତ୍ସବ ପାଇଁ କେନ୍ଦ୍ରାପଡା ମ୍ୟୁନିସିପାଲିଟି ଟାଉନ ହଲ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି ।

ସେହିପରି ସ୍ବାସ୍ଥ୍ୟ ବିପ୍ଲବର ମହାଅଧ୍ୟାୟରେ ଆଜି ସାମିଲ ହେବ ଯାଜପୁର ଜିଲ୍ଲା । ବିରଜା କ୍ଷେତ୍ରରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଅପରାହ୍ନରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାରେ ୪ ଲକ୍ଷ ପରିବାର ଉପକୃତ ହୋଇପାରିବେ । ଏହାସହ ଯାଜପୁରରେ ଉଇଁବ ବିକାଶର ନବୀନ ସୂର୍ଯ୍ୟ । ବିକାଶ ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରାଯିବ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଓ ବିକାଶର ନୂଆ ବ୍ଲୁପ୍ରିଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ଯାଜପୁର । ଏଥିପାଇଁ ନରସିଂହ ଚୌଧୁରୀ କଲେଜ ପଡିଆରେ ହୋଇଛି ପ୍ରସ୍ତୁତି । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ,  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ ।

Leave a Reply