ଡାହାଣୀ ସନ୍ଦେହ: ଭାଉଜକୁ ହାଣି ହତ୍ୟା କରିବା ପରେ ଥାନାରେ ଦିଅରର ଆତ୍ମସମର୍ପଣ

କେନ୍ଦୁଝର: ଭାଉଜକୁ ଡାହାଣୀ ଭାବୁଥିଲା ଦିଅର । ଆଉ ଏହି ସନ୍ଦେହ ଜଣଙ୍କୁ ବନାଇ ଦେଲା ହତ୍ୟାକାରୀ । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ । ଦିଅରର ଟାଙ୍ଗିଆ ଚୋଟରେ ଯାଇଛି ଭାଉଜର ଜୀବନ । ଭାଉଜକୁ ହତ୍ୟା କରିବା ପରେ ଟାଙ୍ଗିଆ ସହ ଥାନାକୁ ଯାଇ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଦିଅର ଗଙ୍ଗା ମୁର୍ମୁ । ମୃତ ମହିଳା ହେଲେ ସିଦ୍ଧ ମୁର୍ମୁଙ୍କ ପତ୍ନୀ ସୀତା ।

ଅଭିଯୋଗ ଅନୁସାରେ, କିଛିଦିନ ହେବ ଗଙ୍ଗାର ପତ୍ନୀ ମୃତ୍ୟୁବରଣ କରିଛନ୍ତି । ଆଉ ତାଙ୍କ ପିଲାଙ୍କ ଦେହ ମଧ୍ୟ ଭଲ ରହୁନାହିଁ । ଭାଉଜ ଗୁଣି ଗାରେଡି କରୁଥିବା ଓ ଡାହାଣୀ ହୋଇଥିବାରୁ ଏଭଳି ଘଟୁଥିବା ଗଙ୍ଗା ସନ୍ଦେହ କରୁଥିଲେ । ଆଜି ଘରେ କେହି ନଥିବା ବେଳେ ସୀତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଗଙ୍ଗା । ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ । ଦୈତାରୀ ଥାନାରୁ ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାସହ ଦୈତାରୀ ଥାନା ପୋଲିସ ଅଭିଯୁକ୍ତ ଗଙ୍ଗାକୁ ଘଷିପୁରା ଥାନାକୁ ହସ୍ତାନ୍ତର କରିଛି ।