କରୋନାରେ ଆକ୍ରାନ୍ତ ହେଲେ ସୁପରଷ୍ଟାର ଶାହାରୁଖ ଖାନ

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବଲିଉଡରେ ମଧ୍ୟ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ତଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟନ କରୋନା ପଜିଟିଭ୍ ହୋଇଥିଲେ । ତେବେ ଆଜି ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ ସଂକ୍ରମିତ ହୋଇଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ଶାହାରୁଖ ସଂଗରୋଧରେ ରହିଛନ୍ତି । ସେହିପରି ଦ୍ୱିତୀୟ ଥର ପାଇଁ କାଟ୍ରିନାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ସଙ୍ଗରୋଧରେ ରହିଛନ୍ତି ।

ତେବେ କୋଭିଡ ମାମଲା ବଢ଼ୁଥିବାର ଦେଖି ବିଏମସି ସତର୍କ ରହିବାକୁ କହିଛି । ସହରରେ ଥିବା ସମସ୍ତ ଫିଲ୍ମ ଷ୍ଟୁଡିଓକୁ ସତର୍କ ରହିବା ଲାଗି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଯଦି ଷ୍ଟୁଡିଓରେ କୌଣସି ପାର୍ଟି ଆୟୋଜିତ ହେବା ପରେ କୋଭିଡ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ସୂଚନା ଦେବା ଲାଗି ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ଟ୍ରାକିଂ ସୁବିଧା ହେବ ବୋଲି କୁହାଯାଇଛି ।