ପଶ୍ଚିମ ଓଡ଼ିଶା ବିକାଶରେ ଯୋଡି ହେବ ଆଉ ଏକ ଫର୍ଦ୍ଦ, ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ନୂଆପଡା ଲୋୟର ଇନ୍ଦ୍ର ପ୍ରକଳ୍ପ

ଭୁବନେଶ୍ୱର: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ଓ ବଲାଙ୍ଗୀରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି। ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ। ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ। ୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ୱର ବିକାଶର କର୍ଣ୍ଣଧାର ସାଜିଛନ୍ତି ନବୀନ। ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି। ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ।

Leave a Reply