ହମାସ ପରେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା
1 min read
ନନ୍ଦିଘୋଷ ବ୍ୟୁରୋ : ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା । ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ। ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ପାଲଟା ହମଲା କରିଛି । ହିଜବୁଲ୍ଲା ଆତଙ୍କୀ ହମଲାରେ ଇସ୍ରାଏଲ ସେନାର ଦୁଇ ଯବାନ ଆହତ ହୋଇଛନ୍ତି । ହିଜବୁଲ୍ଲାକୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ସୀମା ଉଲ୍ଲଂଘନ କଲେ ଗାଜା ସମଦଶା ଭୋଗିବ ବୋଲି ଚେତାଇ ଦେଇଛନ୍ତି ନେତନ୍ୟାହୁ।
ସେପଟେ ଗାଜା-ଇସ୍ରାଏଲ ମଧ୍ୟରେ ୨ ମାସରୁ ଅଧିକ ହେଲାଣି ଲାଗି ରହିଛି ସଂଘର୍ଷ । ମାନବୀୟ ସହାୟତା ଜାରି ରଖିବା ଉପରେ ଜାତିସଂଘ ମହାସଚିବ ଗୁରୁତ୍ୱ ଦେଇଛନ୍ତି । ଗାଜାର ୮୦ ପ୍ରତିଶତରୁ ଅଧିକ ନାଗରିକ ଦକ୍ଷିଣ ଗାଜାକୁ ପଳାୟନ କରିଛନ୍ତି । ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ଇଣ୍ଟରନେଟ ପୁରା ଠପ୍ ହୋଇଯାଇଛି। ଖାଦ୍ୟ, ପାଣି ଓ ଔଷଧ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ଗାଜାରେ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି। ଇସ୍ରାଏଲର କରିମ ଶାଲମ ସୀମାରେ ମାନବୀୟ ସହାୟତା ପଠାଇବାକୁ କହିଛି ଜାତିସଂଘ। ଖୁବଶୀଘ୍ର ଏହି ସୀମାକୁ ଖୋଲାଯିବ।
ସେପଟେ ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛି ଆମେରିକା। ସାଧାରଣ ଜନସାଧାରଣଙ୍କ ଯେପରି କୌଣସି କ୍ଷତି ନଘଟେ ଏଥିପ୍ରତି ସଜାଗ ରହିବାକୁ ଇସ୍ରାଏଲକୁ କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ। ହମାସ ଆତଙ୍କୀଙ୍କ ପାଖରେ ଏବେ ବି ୧୩୫ ପଣବନ୍ଦୀ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏହାସହ ଗାଜାରେ ମାନବୀୟ ସହାୟତା ଅଧିକ ପରିମାଣର ପଠାଇବାକୁ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।