୮୨ ହଜାର ଟଙ୍କା ଫେରିପାଇବା ପରେ ପୋଲିସକୁ ଧନ୍ୟବାଦ ଦେଲେ ବ୍ୟକ୍ତି

1 min read

ଗଞ୍ଜାମ : ଅଚଳ ସିମ୍ ନମ୍ବର ଯୋଗୁଁ  ନିଜ ଏକାଉଣ୍ଟ୍ ରୁ ୮୨ ହଜାର ଟଙ୍କା ଠକେଇ ର ଶିକାର ହେଲେ  ଋଣ ଗ୍ରହୀତା । ପରେ ଥାନାରେ ଅଭିଯୋଗ ପରେ  ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ସମସ୍ତ ଟଙ୍କାକୁ ଜବତ କରିବା ସହ ଠକାମିର ଶିକାର  ହୋଇଥିବା ବ୍ୟକ୍ତିଙ୍କୁ  ଟଙ୍କା ଫେରସ୍ତ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଭଂଜନଗର ସହରରେ ଥିବା IDFC ବ୍ୟାଙ୍କରେ । ନିକଟସ୍ଥ ଗାଙ୍ଗପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗାଁ ର ପ୍ରଦୀପ କୁମାର ପାତ୍ର ଘର ତିଆରି ପାଇଁ ବ୍ୟାଙ୍କ୍ ରୁ ଦୁଇ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ । ବ୍ୟାଙ୍କରୁ ଋଣଟଙ୍କା ମଞ୍ଜୁର ହେବାପରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଚନ୍ଦନ କୁମାର ଦାସଙ୍କ ମୋବାଇଲ୍ କୁ ମେସେଜ୍ ଯାଇଥିଲା ।

ଯାହାକି ଉକ୍ତ ମୋବାଇଲ ନମ୍ବରଟି ପ୍ରଦୀପ ପାତ୍ର ଙ୍କର ଥିଲା । କିନ୍ତୁ  ସେହି ମୋବାଇଲ  ସିମକୁ ପ୍ରାୟ  ଦେଢ଼ ବର୍ଷ ହେଲା ପ୍ରଦୀପ ବ୍ୟବହାର  କରୁନଥିଲେ ।  ଫଳରେ ସଂପୃକ୍ତ ମୋବାଇଲ କମ୍ପାନୀ , ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଚନ୍ଦନ ଦାସଙ୍କ ନାମରେ ଉକ୍ତ ସିମ୍ ନମ୍ବର ମଞ୍ଜୁର କରିଥିଲା । ଯାହାର ସୁଯୋଗ  ନେଇ ବ୍ୟାଙ୍କିଙ୍ଗ ଆପ୍ଲିକେସନ ଜରିଆରେ ପ୍ରଦୀପ ପାତ୍ରଙ୍କ ମଞ୍ଜୁର ଋଣଟଙ୍କା ରୁ ୮୨ ହଜାର ଟଙ୍କା ହଡ଼ପ କରିଥିଲା ଚନ୍ଦନ । ଏ ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଚନ୍ଦନକୁ ଭୁବନେଶ୍ୱରରୁ ଗିରଫ କରିଥିଲା ଭଂଜନଗର ପୋଲିସ । ଉଧାର ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇଥିଲା ପୋଲିସ ।