ପୁଣି ଫେରିଲା ଆମ୍ଵ ଟାକୁଆ ଟ୍ରାଜେଡି: ନଭେମ୍ବରରେ ୩ ଜଣଙ୍କ ଜୀବନ ଯାଇଥିଲା, ଏବେ ୫ଜଣ ମହିଳା ଗୁରୁତର

1 min read

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ନିକଟସ୍ଥ ମାଣ୍ଡିପଙ୍କା ଗାଁରେ ପୁଣି ଅସୁସ୍ଥ ହୋଇଛନ୍ତି ମହିଳା । ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ହୋଇଥିବା ୫ ଜଣ ମହିଳା ପୁଣି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ବୁଧବାର ଦିନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରୀତି ରଞ୍ଜନ ରଥଙ୍କୁ ଜଣାଇଥିଲେ । ଗୁରୁବାର ଦିନ ଗଦାପୁର VLW ପହଞ୍ଚି ଗୁରୁତର ମହିଳା ମାନଙ୍କୁ ଦାରିଙ୍ଗିବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଛି । ତେବେ ଗତ ନଭେମ୍ଵର ମାସରେ ଆମ୍ଵ ଟାକୁଆ ଜାଉ ଖାଇ ଅସୁସ୍ଥ ମହିଳାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ନିୟମିତ ଭାବେ ଗୁରୁତର ମହିଳାଙ୍କୁ ଚିକିତ୍ସା କରାଯାଉ ବୋଲି ସରକାରଙ୍କୁ ଗୁହାରୀ କରିଛନ୍ତି ଲୋକେ।

ଗତ ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ। ମାଣ୍ଡିପଙ୍କା ଗାଁରେ ୩ ମାସର PDS ଚାଉଳ ନମିଳିବାରୁ ଆଦିବାସୀ ଲୋକେ ଆମ୍ବ ଟାକୁଆ ଯାଉ ଉପରେ ନିର୍ଭର କରିଥିଲେ । ୬ ପରିବାରରୁ ୮ ଜଣ ମହିଳା ଆମ୍ବ ଟାକୁଆ ଯାଉ ଖାଇ ୩ ଜଣ ମହିଳା ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ମହିଳା ଗୁରୁତର ହୋଇଥିଲେ । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ମେଡିକାଲ ଏବଂ କଟକ ମେଡିକାଲରେ ଚିକିତ୍ସା କରି ସୁସ୍ଥ ହେବାରୁ ଘରକୁ ଫେରିଆସିଥିଲେ । ଗୋଟିଏ ମାସ ସ୍ବାସ୍ଥ୍ୟ ଭଲ ଥିବା ବେଳେ,ପରେ ଧୀରେ ଧୀରେ ଶରୀର ଦୁର୍ବଳ ହେବାରେ ଲାଗିଥିଲା । ପ୍ରାୟ ୪ ମାସ ହେଲା ଦେହ ଅଧିକରୁ ଅଧିକ ଦୁର୍ବଳ ହେବା ସହ ଅସୁସ୍ଥ ଅନୁଭବ କରିଆସୁଥିଲେ ୫ଜଣ । ଏ ନେଇ ଦାରିଙ୍ଗବାଡି ବ୍ଲକ ପ୍ରଶାସନକୁ ଚିକିତ୍ସା ପାଇଁ ଜଣାଇଥିଲେ । ହେଲେ ପ୍ରଶାସନ ଲୋକଙ୍କ ପାଖରେ ବିଳମ୍ଵରେ ପହଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଆମ୍ଵ ଟାକୁଆ ଟ୍ରାଜେଡି ଘଟଣା ଯେମିତି ମାଣ୍ଡିପଙ୍କା ଗାଁ ଲୋକଙ୍କ ପିଛା ଛାଡୁନାହିଁ । ପୁଣି ଅସୁସ୍ଥ ହୋଇଛନ୍ତି ମହିଳାଙ୍କୁ ନେଇ ଚିନ୍ତା ବଢ଼ିଛି ।